ବିଶ୍ୱରେ ସବୁଜ ଏବଂ ସୁସ୍ଥ ପରିବେଶ ତିଆରି କରିବା ଲକ୍ଷ୍ୟ:ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ ଏବଂ ସୁସ୍ଥ ପରିବେଶ ତିଆରି କରିବା ଲକ୍ଷ୍ୟ । ଘରୋଇ ସମ୍ୱଳ ବ୍ୟବହାର କରି ଉର୍ଜା ଚାହିଦା ପୂରଣ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତରେ ସ୍ଥାୟୀ ବିମାନ ଇନ୍ଧନର ବ୍ୟବହାରକୁ ବଢ଼ାଇବା ଦିଗରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍‌)ର “କ୍ଲିନ୍‌ ସ୍କାଏ ଫର୍‌
ଟୁମୋରୋ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ “କ୍ଲିନ୍‌ ସ୍କାଏ ଫର୍‌ ଟୁମୋରୋ’ ଯୋଜନାର ବ୍ଲୁ ପ୍ରିଣ୍ଟ ଉନ୍ମୋଚନ କରିଥିଲେ ।
ଶ୍ରୀ ପ୍ରଧାନ ଏହି ଅବସରରେ ଭାରତର ଉର୍ଜା ରୂପାନ୍ତରଣ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଅଣାଯାଇଥିବା ନୀତିଗତ ସଂସ୍କାର, ଜୈବ ଇନ୍ଧନ ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଘରୋଇ ସମ୍ୱଳ ଦ୍ୱାରା କମ୍‌ ଅଙ୍ଗାରକାମ୍ଳଯୁକ୍ତ ଇନ୍ଧନ ହାସଲ କରିବା ଉପରେ ଆଲୋକପାତ କରିଛନ୍ତି ।

୨୦୧୯ରେ ଭାରତ ଦ୍ୱାରା ସ୍ଥାୟୀ ବିମାନ ଇନ୍ଧନର ବ୍ୟବହାର ବୃଦ୍ଧି କରାଯାଇଥିବା ବେଳେ ଭାରତୀୟ ବାୟୁସେନାର ଏୟାରକ୍ରାଫ୍ଟରେ ୧୦% ବାୟୋ-ଜେଟ୍‌ ଫ୍ୟୁଏଲ ବ୍ୟବହାର କରାଯାଇଛି ଏବଂ ୨୦୧୮ରେ ସ୍ପାଇସ ଜେଟ୍‌ ବିମାନରେ ବାୟୋ ଫୁଏଲ ମିଶ୍ରିତ ଇନ୍ଧନ ସଫଳତାର ସହ ବ୍ୟବହାର ହୋଇଥିବା ସେ ଉଲ୍ଲେଖ କରିଛନ୍ତି । କୃଷିଜାତ ବର୍ଜ୍ୟବସ୍ତୁ, ସୁଗାର ଷ୍ଟ୍ରିମ ଏବଂ ସହରାଞ୍ଚଳର ବର୍ଜ୍ୟବସ୍ତୁ ସାହାଯ୍ୟରେ ଜୈବ ଇନ୍ଧନ ପ୍ରସ୍ତୁତ କରାଯାଇପାରିବ ବୋଲି ବିଶ୍ୱ ଅର୍ଥନୈତିକ ଫୋରମର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ସ୍ଥାୟୀ ବିମାନ ଇନ୍ଧନ ପାଇଁ ଉପଯୋଗୀ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏସବୁ ବ୍ୟବହାର କରି ସ୍ୱଚ୍ଛ ଇନ୍ଧନ ପ୍ରସ୍ତୁତ କରିବା ଦିଗରେ ବହୁ ଆଗରୁ କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.