କୋଲକାତା : ପଶ୍ଚିମବଙ୍ଗର ହାଓ୍ଵଡା ଜିଲ୍ଲାରେ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତା ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୂକ ପତ୍ନୀଙ୍କ ସହ ଗଣୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିଜେପି କାର୍ଯ୍ୟକର୍ତ୍ତା ତଥା ପୀଡିତାଙ୍କ ସ୍ଵାମୀ ଏ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ଆମେ ପୀଡିତ ପରିବାରଙ୍କ ସହ ଅଛୁ ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ଶାସକ ଦଳ ଟିଏମସି କହିଛି।
ପୋଲିସ ଅନୁଯାୟୀ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏଫଆଇଆରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଶନିବାର ରାତି ସେହି ସମୟରେ ଘଟିଛି, ଯେତେବେଳେ ମହିଳାଙ୍କ ସ୍ଵାମୀ ଓ ବଡ ପୁଅ ଘରେ ନଥିଲେ। ବାକି ତିନି ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସ ଜୁଟି ଯାଇଛି। ଉଲୁବେରିଆ ସୁପର ସ୍ପେସିଆଲିଟି ହସ୍ପିଟାଲରେ ମହିଳାଙ୍କ ଚିକିତ୍ସା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ପୀଡିତାଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି।
ବିଜେପିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପାର୍ଟି ସହପ୍ରଭାରୀ ଅମିତ୍ ମାଲଭିୟ ଟ୍ଵିଟ୍ କରି ଅଭିଯୋଗ କରିଛନ୍ତି ଯେ, ହାଓ୍ଵଡା ଜିଲ୍ଲାର ବଗନାନ ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ୩୪ ବର୍ଷୀୟ ପତ୍ନୀଙ୍କୁ ଟିଏମସିର କାର୍ଯ୍ୟକର୍ତ୍ତା ବାନ୍ଧି ନୃଶଂସ ଭାବେ ଗଣଦୁଷ୍କର୍ମ କରିଛନ୍ତି। ଅନ୍ୟପଟେ ଟିଏମସି ହାଓ୍ଵଡା ଜିଲ୍ଲା ସଭାପତି ପୁଲକ ରାୟ କହିଛନ୍ତି, ଅପରାଧୀଙ୍କ କୌଣସି ଜାତି, ଧର୍ମ କିମ୍ବା ସମୁଦାୟର ହୋଇନଥାନ୍ତି। ଆମ ରାଜ୍ୟରେ ସମସ୍ତ ଅପରାଧୀଙ୍କୁ ଦଣ୍ଡ ଦିଆଯାଏ। ଆମେ ପୀଡିତ ପରିବାରଙ୍କ ସହ ଅଛୁ ଏବଂ ଆମର ଦାବି ସମସ୍ତ ଦୋଷୀଙ୍କୁ ଦଣ୍ଡ ମିଳୁ। ଅମତାର ଟିଏମସି ବିଧାୟକ ସୁକାନ୍ତ କୁମାର ପାଉଲ ଏବଂ ପାର୍ଟିର ଅନ୍ୟ ନେତା ହସ୍ପିଟାଲ ଯାଇ ପୀଡିତାଙ୍କୁ ଭେଟିଛନ୍ତି।
ପୀଡିତ ମହିଳା ବଗନାନ ଅଞ୍ଚଳରେ ସ୍ଵାମୀ ଏବଂ ଦୁଇ ପୁଅ ସହ ରହୁଛନ୍ତି। ଗତ ଛଅ ବର୍ଷ ହେବ ମସ୍ତିଷ୍କ ରୋଗ କାରଣରୁ ସେ ନିଜର ବାକ୍ ଶକ୍ତି ହରାଇଛନ୍ତି। କିନ୍ତୁ ସେ ଶୁଣି ପାରୁଛନ୍ତି। ମହିଳାଙ୍କ ସ୍ଵାମୀ ଫ୍ଲେକ୍ସ ଓ ବ୍ୟାନର ବ୍ୟବସାୟ କରନ୍ତି। ପୀଡିତାଙ୍କ ସ୍ଵାମୀ କହିଛନ୍ତି, ସେ ଶନିବାର କିଛି କାମରେ କୋଲକାତା ଯାଇଥିଲେ। ହେଲେ ସେ ଫେରି ପାରିନଥିଲେ।
ଅଭିଯୋଗ ଅନୁଯାୟୀ, କିଛି ଲୋକ ରାତିରେ ମହିଳାଙ୍କ ଡାକ ନାଁରେ ଡାକିବାରୁ ସେ ବାଟ ଖୋଲିଥିଲେ। ଏହା ପରେ ପାଞ୍ଚ ଜଣ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ମାଡ ମାରିଥିଲେ ଏବଂ ବାନ୍ଧି ଗଣଦୁଷ୍କର୍ମ କରିଥିଲେ। ବିଜେପି କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ, ଅଭିଯୁକ୍ତମାନେ ଘରୁ ବାହାରିବା ପୂର୍ବରୁ ତାଙ୍କ ମୋଟର ସାଇକେଲ୍କୁ ପତ୍ନୀଙ୍କ ଗୋଡ ଉପରେ ପକାଇ ଦେଇଥିଲେ।
ଏହି ଘଟଣା ଘଟିବା ସମୟରେ ପୀଡିତାଙ୍କ ସାନ ପୁଅ ଅନ୍ୟ ଏକ ରୁମରେ ଶୋଇଥିଲେ। ସୋମବାର ସାନ ପୁଅ କହିଛି ଯେ, ମୋର ବଡ ଭାଇ ଶନିବାର ନାଇଟ୍ ଡ୍ୟୁଟିରେ ଯାଇଥିଲା। ମୁଁ ହିଁ ପ୍ରଥମେ ମାକୁ ବନ୍ଧା ଅବସ୍ଥାରେ ଏବଂ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲା। ପାଖରେ ରହୁଥିବା ପୀଡିତାଙ୍କ ଭେଣୋଇ କହିଛନ୍ତି ଯେ, ସେ ଘଟଣା ସମୟରେ କିଛି ଶୁଣି ନାହାନ୍ତି। ପୀଡିତାଙ୍କ ତୁରନ୍ତ ବନଗାନ ଥାନା ନିଆଯାଇଥିଲା। ସେଠାରୁ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଉଲୁବେରିଆ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।