ବ୍ଲେଡ୍‌ରେ ହାତ କାଟି ହଙ୍ଗାମା କଲେ ଯୁବତୀ

0

ଭୁବନେଶ୍ୱର,: ଜୟଦେବ ବିହାର-ଚନ୍ଦ୍ରଶେଖରପୁର ରାସ୍ତାରେ ଜଣେ ଯୁବତୀ ଶୁକ୍ରବାର ରାତିରେ ହାଇଡ୍ରାମା କରିଛନ୍ତି । କୌଣସି କାରଣରୁ ଯୁବତୀ ଜଣକ ନିଜ ହାତକୁ ଏକ ବ୍ଲେଡ୍‌ରେ କାଟି ଦେଇଛନ୍ତି । ସହିଦନଗର ଥାନା ପୁଲିସ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇଛି ।

 

ଯୁବତୀଙ୍କ ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାପଡ଼ିଛି ।ଶୁକ୍ରବାର ରାତି ସାଢ଼େ ୧୦ଟା ହେବ । ହୋଟେଲ୍‌ ଟ୍ରାଇଡେଣ୍ଟ୍‌ ସାମ୍ନା ରାସ୍ତା ଆରପଟେ ୨ଜଣ ଯୁବତୀ ଚାଲି ଚାଲି ଯାଉଥିଲେ । ଜଣେ ଯୁବତୀ ବଡ଼ ପାଟିରେ କାନ୍ଦୁଥିଲେ । ଅନ୍ୟ ଜଣକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ହଠାତ୍‌ କ’ଣ ହେଲା କେଜାଣି? କାନ୍ଦୁଥିବା ଯୁବତୀ ଜଣକ ନିଜ ବାମ ହାତ ପାପୁଲିକୁ ବ୍ଲେଡ୍‌ରେ କାଟି ଦେଲେ । ତାଙ୍କ ହାତରୁ ରକ୍ତ ବୋହିବାକୁ ଲାଗିଲା । ଏହା ଦେଖି ଅନ୍ୟ ଯୁବତୀ ଜଣଙ୍କ ଡରିଯାଇ ରାସ୍ତାରେ ଯାଉଥିବା ବାଇକ ଅଟକାଇ ସାହାଯ୍ୟ ପାଇଁ ଗୁହାରି କଲେ । କିଛି ଆରୋହୀ ଅଟକି ଯୁବତୀଙ୍କୁ ହସ୍ପିଟାଲ ନେବାକୁ କହିଥିଲେ । କିନ୍ତୁ ଯୁବତୀ ଜଣକ ହସ୍ପିଟାଲ ଯିବାକୁ ଆଦୌ ରାଜି ହୋଇନଥିଲେ । ମୁଁ ହସ୍ପିଟାଲ ଯିବନି କହି ଜୋର୍‌ରେ କାନ୍ଦିବାକୁ ଲାଗିଲେ । ଜଣେ ବାଇକ୍‌ ଆରୋହୀ ଏହା ଦେଖି ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଲେ । କିଛି ସମୟ ପରେ ଏକ ପିସିଆର ଭ୍ୟାନ୍‌ ସେଠାକୁ ଯାଇଥିଲା । ପିସିଆର କର୍ମଚାରୀମାନେ ଯୁବତୀଙ୍କୁ ହସ୍ପିଟାଲ ନେବାକୁ କହିବାରୁ ସେ ରାଜି ହେଲେନି । ଶେଷରେ ମହିଳା ପୁଲିସ କର୍ମଚାରୀ ଆସିବା ପରେ ଯୁବତୀଙ୍କୁ ଜବରଦସ୍ତି ପିସିଆର୍‌ ଭ୍ୟାନ୍‌ରେ ବସାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଯୁବତୀଙ୍କୁ ଘରେ ଛାଡ଼ିଦିଆଯାଇଛି ।

 

ପୁଲିସ କହିଛି, ଯୁବତୀ ଜଣକ ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି । ସେ ମେ ଫେୟାର ହୋଟେଲ ନିକଟରେ ଭଡା ଘରେ ରହୁଛନ୍ତି । ପଟିଆ ଅଞ୍ଚଳର ଜଣେ ଯୁବକଙ୍କୁ ସେ ପ୍ରେମ କରୁଥିଲେ । ଏହି ପ୍ରେମଜନିତ କାରଣରୁ ଯୁବତୀ ଜଣଙ୍କ ହାତ କାଟିଥିବା ଜଣାପଡିଛି । ପୁଲିସ ସମ୍ପୃକ୍ତ ପ୍ରେମିକଙ୍କୁ ଡାକି ପଚରାଉଚରା କରିବ ବୋଲି କହିଛି ।

Leave A Reply

Your email address will not be published.