ଜୟପୁର, : ବ୍ଲୁ ଟୁଥ୍ ଇଅରଫୋନ୍ ହେଲା କାଳ । କାନରେ ଲଗାଇଥିବା ବେଳେ ବିସ୍ଫୋରଣ । ଜୀବନ ହାରିଲେ ଯୁବକ । ରାଜସ୍ଥାନର ଜୟପୁରରେ ଇୟରଫୋନ୍ ଫାଟିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାକେଶ ନାଗର(୨୮) ।
ସେ ଜୟପୁରର ସିକର ରାଜପଥ ନିକଟରେ ଥିବା ଉଦୟପୁରିଆ ଗାଁର ବାସିନ୍ଦା । ଶୁକ୍ରବାର ଦ୍ୱିପ୍ରହରରେ ରାକେଶ କମ୍ପ୍ୟୁଟରରେ ଇୟରଫୋନ୍ ଲଗାଇ ଗୀତ ଶୁଣୁଥିଲେ । ଅଚାନକ ଇୟରଫୋନ୍ ତୀବ୍ର ଶଦ୍ଦ ସହ ଫାଟି ଯାଇଥିଲା । ଏଥିସହିତ ତାଙ୍କ କାନରୁ ରକ୍ତ ବାହାରିଥିଲା । ତାଙ୍କୁ ହସ୍ପିଟାଲ ନିଆଯିବାପରେ ଡାକ୍ତରମାନେ ମୃତ ଘୋଷିତ କରିଥିଲେ । ଡାକ୍ତରଙ୍କ ଅନୁସାରେ ଇୟରଫୋନ୍ ଫାଟିବା ଯୋଗୁ ସୃଷ୍ଟି ହୋଇଥିବା ତୀବ୍ର ଶବ୍ଦ ଯୋଗୁ ରାକେଶଙ୍କୁ ହୃଦ୍ଘାତ ହୋଇଥାଇପାରେ । ସେଥିଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ସେ ବ୍ୟବହାର କରୁଥିବା ଇୟରଫୋନ୍ ବହୁତ ପୁରୁଣା ବୋଲି ଜଣାପଡ଼ିଛି । ରାକେଶ ଚଳିତବର୍ଷ ଫେବ୍ରୃୟାରୀ ମାସରେ ବିବାହ କରିଥିଲେ ।