ନୂଆଦିଲ୍ଲୀ : ହତ୍ୟା ପଛରେ ପାପ ସମ୍ପର୍କ । କାଳ ହେଲା ଅନୈତିକ ସଂପର୍କ । ବୋହୂ ସମେତ ୪ଜଣ ଭଡ଼ାଟିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଶ୍ୱଶୁର । ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି । ଗୁରୁଗ୍ରାମରେ ଘଟିଛି ଏଭଳି ଘଟଣା । ହତ୍ୟାକାଣ୍ଡ ପରେ ଘର ମାଲିକ ଗୁରୁଗ୍ରାମ ରାଜେନ୍ଦ୍ର ପାର୍କ ଥାନାରେ ଆତ୍ମ ସମର୍ପଣ କରିଛନ୍ତି।
ଖବର ଅନୁଯାୟୀ, ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଭଡ଼ାଟିଆ ସହ ବୋହୂର ଅନୈତିକ ସମ୍ପର୍କ ସନ୍ଦେହ କରି ଜଣେ ଘର ମାଲିକ ବର୍ବର କାଣ୍ଡ ଘଟାଇଛନ୍ତି। ଘର ମାଲିକ ଜଣଙ୍କ ତାଙ୍କ ବୋହୂ, ଭଡାଟିଆ, ଭଡାଟିଆର ସ୍ତ୍ରୀ ଓ ଜଣେ ପିଲାକୁ ବିଭତ୍ସ ଭାବରେ ହତ୍ୟା କରିଛନ୍ତି। ଘର ମାଲିକଙ୍କ ଆକ୍ରମଣରେ ଭଡାଟିଆର ଆଉ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପରେ ଘର ମାଲିକ ନିଜେ ଗୁରୁଗ୍ରାମ ରାଜେନ୍ଦ୍ର ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ହତ୍ୟାକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏନେଇ ଡିସିପି କହିଛନ୍ତି ଯେ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅପର ପକ୍ଷରେ ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି।