ବଲିଉଡ୍‌ରେ ଏଣ୍ଟ୍ରି କରିବେ ଦକ୍ଷିଣୀ ସୁନ୍ଦରୀ ‘ରଶ୍ମିକା ମନ୍ଦନା’

0

ମୂମ୍ବାଇ : ଫିଲ୍ମ ‘ମିସନ୍‌ ମଜ୍‌ନୁ’ ଜରିଆରେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନା । ଫିଲ୍ମର ସୁଟିଂ ପାଇଁ ସେ ଏବେ ଲକ୍ଷ୍ନୌରେ ଅଛନ୍ତି । ଏଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ବଡ଼ ପରଦାରେ ଉଭୟଙ୍କୁ ଦେଖିବାକୁ ଦର୍ଶକ ଚାତକ ପରି ଚାହିଁଛନ୍ତି ।

ବଲିଉଡ୍‌ରେ ପ୍ରଥମ ଥର ନୂଆ ଟିମ୍‌ ସହ ଯୋଡ଼ି ହୋଇଥିଲେ ମଧ୍ୟ ରଶ୍ମିକା ସମସ୍ତଙ୍କ ସହ ବେଶ ଆରାମରେ କାମ କରୁଛନ୍ତି । ତାଙ୍କ ସହ କାମ କରିବାରେ କୌଣସି ସଦସ୍ୟ ଅସୁବିଧା ମଣୁନାହାନ୍ତି । ଫିଲ୍ମ ସେଟ୍‌ରେ ତାଙ୍କ ଏନର୍ଜିକୁ ସମସ୍ତେ ତାରିଫ କରୁଛନ୍ତି । ରଶ୍ମିକା ଏବେ ପୂରା ଫିଲ୍ମ ଟିମ୍‌ର ଅତି ଆପଣାର ହୋଇଛନ୍ତି । ଟିମ୍‌ର ସମସ୍ତ ସଦସ୍ୟ ଫିଲ୍ମରେ ତାଙ୍କ ଚରିତ୍ର ନାଁରେ ତାଙ୍କୁ ସମ୍ବୋଧନ କରୁଛନ୍ତି, ଯାହା ଖୁବ୍‌ କମ୍‌ ଦେଖିବାକୁ ମିଳେ । ଏଥିରୁ ଜଣେ କଳାକାରଙ୍କ ଦକ୍ଷତା ସ୍ପଷ୍ଟ ବାରିହୁଏ । ରଶ୍ମିକା ନିଜକୁ ସମ୍ପୂର୍ଣ୍ଣ ନିଜ ଚରିତ୍ର ଭିତରେ ହଜାଇ ଦେଇଛନ୍ତି ।

ସେଥିପାଇଁ ନିଜ ନାଁ ବଦଳରେ ଫିଲ୍ମର ଚରିତ୍ର ନାଁରେ ସେ ପରିଚିତ ହେଉଛନ୍ତି । ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ ଦର୍ଶକଙ୍କୁ ଏକାଧିକ ହିଟ୍‌ ଫିଲ୍ମ ଭେଟି ଦେବା ପରେ ରଶ୍ମିକା ଏବେ ବଲିଉଡ୍‌ରେ ନୂଆ ଧାରା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ‘ମିସନ୍‌ ମଜ୍‌ନୁ’କୁ ନେଇ ତାଙ୍କର ଅନେକ ଆଶା । ଫିଲ୍ମଟି ବଲିଉଡ୍‌ରେ ତାଙ୍କୁ ପରିଚିତ କରିବ ବୋଲି ସେ ଆଶା ବାନ୍ଧିଛନ୍ତି । ‘ଡିୟର କମ୍‌ରେଡ୍‌’, ‘ଗୀତ ଗୋବିନ୍ଦମ୍‌’ ଓ ‘ସାରିଲେରୁ ନିକେଭାରୁ’ ଭଳି ଫିଲ୍ମ ପାଇଁ ରଶ୍ମିକା ବେଶ ପରିଚିତି ପାଇଛନ୍ତି । ହିନ୍ଦୀ ସିନେମାରେ ତାଙ୍କ ମ୍ୟାଜିକ୍‌ ଦେଖିବାକୁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
Leave A Reply

Your email address will not be published.