ରାମପୁର : ଉତ୍ତର ପ୍ରଦେଶ ରାମପୁର ଜିଲ୍ଲାରେ ୯୦ ବର୍ଷ ବୟସ୍କ ରଫି ଅହମଦ ୭୫ ବର୍ଷ ବୟସ୍କା ଆରଫାଙ୍କୁ ବିବାହ କରିଛନ୍ତି। ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପଟେ ଅଜା-ଆଈଙ୍କ ବାହାଘରରେ ନାତିନାତୁଣୀ ଖୁବ ମଜା କରିଛନ୍ତି। ବରଯାତ୍ରୀ ଯାଇଥିବା ଗ୍ରାମବାସୀଙ୍କର ଖୁବ ଚର୍ଚ୍ଚା ହୋଇଛି।
ମାମଲା ନରଖେଡ଼ା ଗାଁର। ରଫି ଅହମଦଙ୍କ ପତ୍ନୀଙ୍କ ମୃତ୍ୟୁ ପ୍ରାୟ ୨୫ ବର୍ଷ ପୂର୍ବରୁ ହୋଇଯାଇଥିଲା। ତାଙ୍କର ୪ ଝିଅ। ରଫି ୪ ଝିଅଙ୍କ ବାହାଘର ମଧ୍ୟ କରିଦେଇଥିଲେ। ପତ୍ନୀଙ୍କ ମୃତ୍ୟୁ ଓ ଝିଅମାନଙ୍କ ବିବାହ ପରେ ରଫି ପ୍ରାୟ ୨୫ ବର୍ଷ ହେଲା ଏକା ଜୀବନ କାଟୁଥିଲେ। ସେ ଘରେ ହିଁ ଏକ ଖାଦ୍ୟ ସାମଗ୍ରୀ ଦୋକାନ କରି ଗୁଜୁରାଣ କରୁଥିଲେ। ଏକା ରୋଷେଇ କରି ଖାଉଥିବା ଓ ଅନ୍ୟ ସମସ୍ୟା ସମ୍ମୁଖୀନ ହେଉଥିବା ଦେଖି ଝିଅମାନେ ବାପାଙ୍କ ବାହାଘର କରିବାକୁ ନିଷ୍ପତ୍ତି ନେଲେ। ରଫି କିନ୍ତୁ ଦ୍ୱିତୀୟ ବିବାହ ପାଇଁ ମନା କରିଦେଇଥିଲେ। କିନ୍ତୁ ଝିଅମାନେ ତାଙ୍କ ଉପରେ ଚାପ ପକାଇବାରୁ ପରେ ସେ ରାଜି ହୋଇଥିଲେ।
ଝିଅମାନେ ଟାଣ୍ଡା ନଗରର ଜଣେ ବିଧବା ମହିଳା ୭୫ ବର୍ଷୀୟା ଆରଫାଙ୍କ ସହ ବାପାଙ୍କ ବାହାଘର କରିବାକୁ ପ୍ରସ୍ତାବ ଦେଇଥିଲେ। ଝିଅମାନଙ୍କ ଅନୁରୋଧ ରକ୍ଷା କରି ଆରଫା ମଧ୍ୟ ବାହା ହେବ ପାଇଁ ରାଜି ହୋଇଥିଲେ। ଉଭୟ ପକ୍ଷରୁ ରାଜି ହେବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଶନିବାର ଦିନ ସବୁ ରୀତିନୀତି ଅନୁସାରେ ଉଭୟଙ୍କ ବାହାଘର ହୋଇଛି। ରଫି ବରଯାତ୍ରୀ ନେଇଯାଇଥିଲେ। ବରଯାତ୍ରୀରେ ରଫିଙ୍କ ନାତିନାତୁଣୀ ଖୁବ ଡ୍ୟାନ୍ସ କରିଛନ୍ତି। ବିଳମ୍ବିତ ରାତିରେ ବରକନ୍ୟା ଘରକୁ ଫେରିଥିଲେ। ତାଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ ଜମିଥିଲା। ବାହାହେବା ପରେ ରଫି ମଧ୍ୟ ଖୁସି ନଜର ଆସିଛନ୍ତି।