କ୍ୟାମ୍ପସ୍‌ରେ ପ୍ରେମ ନିବେଦନ କରି ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ ହେଲେ ଦୁଇ ଛାତ୍ରଛାତ୍ରୀ

0

କ୍ୟାମ୍ପସ୍‌ରେ ପ୍ରେମ ନିବେଦନ ଘଟଣାରେ ସମ୍ପୃକ୍ତ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ପାକିସ୍ତାନର ଏକ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ବହିଷ୍କାର କରିଛି। ଘଟଣାଟି ଲାହୋର ବିଶ୍ୱବିଦ୍ୟାଳୟ ପରିସରରେ ଘଟିଛି।

ଛାତ୍ରୀଟିଏ ଜଣେ ଛାତ୍ରଙ୍କୁ ପ୍ରେମ ନିବେଦନ କରୁଥିବାର ଭିଡିଓ ଗୁରୁବାର ଦିନ ଭାଇରାଲ୍‌ ହୋଇଥିଲା। ହାତରେ ଗୋଲାପତୋଡ଼ାଟିଏ ଧରିଥିବା ଝିଅଟିଏ ଭୂଇଁରେ ଆଣ୍ଠୁମାଡ଼ି ଉକ୍ତ ପୁଅକୁ ପ୍ରେମ ନିବେଦନ କରୁଛି। ପୁଅଟି ଫୁଲଗୁଡ଼ିକୁ ଗ୍ରହଣ କରି ସେ ଝିଅକୁ କୋଳାଇ ନେଉଛି। ଏବଂ ପାଖରେ ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ପାଟି କରି ସେମାନଙ୍କୁ ଉତ୍ସାହ ଦେଉଛନ୍ତି।

ଅନ୍‌ଲାଇନ୍‌ରେ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଏହି ଭିଡିଓକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦେଖିଲେ। ଶୁକ୍ରବାର ଦିନ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଶୃଙ୍ଖଳା କମିଟି ବୈଠକ ବସାଇ ଘଟଣା ସଂକ୍ରାନ୍ତରେ ଆଲୋଚନା ଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଡକାଇଥିଲା। କିନ୍ତୁ, ସେମାନେ ବୈଠକରେ ହାଜର ହୋଇ ନ ଥିଲେ। ପରେ ଉକ୍ତ କମିଟି ସେ ଦୁଇଜଣଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସର ନିଷେଧ କରିବା ଲାଗି ନିଷ୍ପତ୍ତି ନେଇଥିଲା।

ଦୁହେଁ ଅଶିଷ୍ଟ ଆଚରଣରେ ଲିପ୍ତ ରହି ବିଶ୍ୱବିଦ୍ୟାଳୟ ପରିସରର ଆଚରଣବିଧି ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା କଥା ଏକ ବିବୃତିରେ ଲାହୋର ବିଶ୍ୱବିଦ୍ୟାଳୟ କହିଛି।

ବିଶ୍ୱବିଦ୍ୟାଳୟ କମିଟିର ଏ ଭଳି ନିଷ୍ପତ୍ତି ଉପରେ ବିଭିନ୍ନ ମହଲରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ କନ୍ୟା ବଖତ୍‌ଓ୍ଵାର୍‌ ଭୁଟ୍ଟୋ-ଜଦ୍ଦାରି ବିଶ୍ୱବିଦ୍ୟାଳୟର କାର୍ଯ୍ୟାନୁଷ୍ଠାନକୁ କଟୁ ସମାଲୋଚନା କରିଛନ୍ତି।

ପୂର୍ବତନ କ୍ରିକେଟ୍‌ ଖେଳାଳି ଓ୍ଵାସିମ୍‌ ଆକ୍ରମଙ୍କ ପତ୍ନୀ ଶାନିଏରା ଆକ୍ରମ୍‌ ଟୁଇଟ୍‌ କରି ଲେଖିଛନ୍ତି, ଯାହା ଇଚ୍ଛା ତାହା ନିୟମ ପ୍ରଣୟନ କର, କିନ୍ତୁ ପ୍ରେମକୁ ବହିଷ୍କାର କରି ପାରିବ ନାହିଁ!

Leave A Reply

Your email address will not be published.