ଚାଲିଛି ନାଟମଣ୍ଡପ ରଙ୍ଗ କାମ, ରୁପାରେ ଝଲସୁଛି ଶ୍ରୀମନ୍ଦିର,

0

ପୁରୀ : ରୁପାରେ ଝଲସୁଛି ଶ୍ରୀମନ୍ଦିର। ରୁପା ଚାଦର ଉପରେ ଫୁଲ ଆକୃତିର ସୁନ୍ଦର କାରୁକାର୍ଯ୍ୟ ଆଖି ଝଲସାଇ ଦେଉଛି। ଯେ କେହି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି, କ୍ଷଣିକ ପାଇଁ ଅଟକି ଯାଉଛନ୍ତି। ବିଭିନ୍ନ ଦ୍ବାରରେ ରୁପା ଚାଦର ଲାଗିବା ପରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି। ଚମକୁଛି ଜୟ-ବିଜୟ ଓ ଗରୁଡ଼ ସ୍ତମ୍ଭ ନିକଟ ଭୋଗମଣ୍ଡପ ଦ୍ବାର।

 

ଅନ୍ୟପଟେ ସର୍ବସାଧାରଣ ଦର୍ଶନ ପୂର୍ବରୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ନୂଆ ରୂପରେ ସଜାଇବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ନାଟମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନରେ ରଙ୍ଗ ଦେବା କାର୍ଯ୍ୟକୁ ଜୋରଦାର କରାଯାଇଛି। ମହାପ୍ରଭୁଙ୍କ ବିଭିନ୍ନ ଯୁଗର ଲୀଳାଖେଳ ପ୍ରତିଛବି ଆକାରରେ ନାଟମଣ୍ଡପର କାନ୍ଥ ଓ ଛାତର ସ୍ଥାନ ପାଇଥିବା ବେଳେ ବହୁ ପୁରାତନ ଏହି କାରୁକାର୍ଯ୍ୟରେ ରଙ୍ଗ ଦିଆଯାଉଛି। ସେପଟେ ସର୍ବସାଧାରଣ ଦର୍ଶନ ପୂର୍ବରୁ ବେହେରଣ ଦ୍ବାର ଓ ସାତପାହାଚ ଦ୍ବାର ରୁପା କାମ ସାରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଦୁଇଦ୍ବାରରେ ପ୍ଲାଏର ଅସ୍ଥାୟୀ କବାଟ ଲଗାଯାଇଛି। ରୁପା କାମ ଚାଲିଥିବାରୁ ବେହେରଣ ଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ଭକ୍ତମାନେ ଯେଉଁବାଟ ଦେଇ ଭିତରକାଠ ନିକଟକୁ ଦର୍ଶନ ପାଇଁ ଯାଉଛନ୍ତି, ସେହି ବାଟ ଦେଇ ଫେରୁଛନ୍ତି। କିନ୍ତୁ ସର୍ବସାଧାରଣ ଦର୍ଶନ ବେଳେ ଏଭଳି ଦର୍ଶନ ସମ୍ଭବ ନଥିବାରୁ ଆସନ୍ତାକାଲି ରାତି ଭିତରେ ବେହେରଣ ଦ୍ବାରର ରୁପା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରୀମନ୍ଦିରର କଳାହାଟ ଦ୍ବାର, ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମ ପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାରର ନୂଆ ବର୍ମା ଟିକ୍‌ରେ ନିର୍ମାଣ ସରିଥିବାବେଳେ ଏଥିରେ ରୁପା ଚାଦର ଲଗାଇବାକୁ ଯୋଜନା କରାଯାଇଛି। ଏହି ଆଠ ଦ୍ବାର ପାଇଁ ଆବଶ୍ୟକ ପ୍ରାୟ ୨୩.୫ କ୍ବିଣ୍ଟାଲ ରୁପା ଚାଦର ସହ ଅନ୍ୟାନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଇତିମଧ୍ୟରେ ତିନିଟି ପର୍ଯ୍ୟାୟରେ ମୁମ୍ବାଇରୁ ଆସି ପୁରୀରେ ପହଞ୍ଚିଛି। ସେଗୁଡ଼ିକୁ ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ୍‌ ରୁମ୍‌ର ରଖି ପର୍ଯ୍ୟାୟକ୍ରମେ ଏହାକୁ ବିଭିନ୍ନ ଦ୍ବାରରେ ସଂଯୋଗ କରାଯାଉଛି। ଇତିମଧ୍ୟରେ ବର୍ମା ଟିକ୍‌ରେ ନବନିର୍ମିତ ବେହେରଣ ଦ୍ବାର, ଭୋଗମଣ୍ଡପ ପଶ୍ଚିମ ପାର୍ଶ୍ବ ଦ୍ବାର, ଜୟ-ବିଜୟ ଦ୍ବାର ଲାଗିବା ଶେଷ ହୋଇଥିବାବେଳେ ସାତପାହାଚ ଦ୍ବାର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଯାତ୍ରା ସମୟରେ ଭୋଗମଣ୍ଡପ ପଶ୍ଚିମ ପାର୍ଶ୍ବ ଦ୍ବାର ଓ ଜୟ-ବିଜୟ ଦ୍ବାରରେ ରୁପା ଚାଦର ଲାଗିବା କାମ ଶେଷ ହୋଇଛି। ଦୁଇ କବାଟବିଶିଷ୍ଟ ଭୋଗମଣ୍ଡପ ଦ୍ବାରରେ ରୁପା ଚାଦର ଲାଗିବା ପରେ ଏହା ଉପରେ ଫୁଲ ଆକୃତିର କାରୁକାର୍ଯ୍ୟ ସମ୍ପନ୍ନ ୬ଟି ଫୁଟିକିଆ ରୁପା ଚାଦର ଝଳେଇ କରି ସଂଯୋଗ କରାଯାଇଛି। ଭୋଗମଣ୍ଡପ ଦ୍ବାରଠାରୁ ଅଧିକ ସୁନ୍ଦର ‌ଦିଶୁଛି ଜୟ-ବିଜୟ ଦ୍ବାର। ଦୁଇ କବାଟବିଶିଷ୍ଟ ଏହି ଦ୍ବାରରେ ରୁପାର ଅଧିକ ସାଜସଜ୍ଜା କରାଯାଇଛି। ରୁପା ଚାଦର ଲାଗିବା ପରେ ଏହା ଉପରେ ଫୁଟିକିଆ କାରୁକାର୍ଯ୍ୟର ପ୍ଲେଟ୍‌ ଲଗାଯାଇଛି। ଏହା ସହ ପିତ୍ତଳର ଏକାଧିକ ଘଣ୍ଟି ଝୁଲାଯାଇଛି। ଯାହା ରୁପାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି।

 

ସେପଟେ ଶ୍ରୀମନ୍ଦିର ମୁଖ୍ୟ ମନ୍ଦିରର ଚାରି ପ୍ରମୁଖ ଦ୍ବାରର ରୁପା କାମକୁ ସର୍ବସାଧାରଣ ଦର୍ଶନ ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ। ଏଥିପାଇଁ ଉଭୟ ବେହେରଣ ଦ୍ବାର ଓ ସାତପାହାଚ ଦ୍ବାର ଏକକାଳୀନ କାମ ଚାଲିଛି। ବେହେରଣ ଦ୍ବାରର ନବନିର୍ମିତ ଦ୍ବାର ସଂଯୋଗ ସରିଥିବାବେଳେ ଏବେ ରୁପା ଚାଦର ଲଗାଇବା କାମ ଚାଲିଛି। ସାତପାହାଚ ଦ୍ବାରରେ ନବନିର୍ମିତ ଦ୍ବାର ସଂଯୋଗ ସରିଥିବାବେଳେ ଷ୍ଟିଲ୍‌ ଫ୍ରେମ୍‌ ଓ ରୁପା ଲଗାଇବା କାମ ଚାଲିଛି। ଏଥିପାଇଁ ଭକ୍ତଙ୍କୁ ଘଣ୍ଟି ଦ୍ବାର ଦେଇ ଦର୍ଶନ ପାଇଁ ଛଡ଼ାଯାଉଛି। ଆସନ୍ତାକାଲି ରାତି ସୁଦ୍ଧା ଏହି ଦ୍ବାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତଥାପି ସର୍ବସାଧାରଣ ଦର୍ଶନ ପୂର୍ବରୁ ଯଦି ଦ୍ବାର କାମ ‌ଶେଷ ନ ହୁଏ, ଘଣ୍ଟିଦ୍ବାର ଦେଇ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.