ଛତିଶଗଡ଼ରେ ବଢ଼ିବାରେ ଲାଗିଛି କରୋନା ସ୍ଥିତି

0

ନବରଙ୍ଗପୁର/ନୂଆପଡ଼ା : ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା‌େର ଛତିଶଗଡ଼ ପାଇଁ କରୋନା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏବେ ସେହି ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଏବେ ଗଳାବାଟ ଦେଇ ବହୁ ସଂଖ୍ୟାରେ ଲୋକେ ରାଜ୍ୟ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଫଳରେ, କରୋନା ସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ନବରଙ୍ଗପୁର ଜିଲ୍ଲାରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଆଡ଼ୁ ଏହି ବିପଦ ମାଡ଼ି ଆସୁଛି। ଏପ୍ରିଲ ପହିଲା ଠାରୁ ଆଜି ସୁଦ୍ଧା ଜିଲ୍ଲାରେ ୩୨୬ଜଣ ସଂକ୍ରମିତ ହୋଇ ସାରିଲେଣି। ସେଥିରୁ ଅଧା ସଂକ୍ରମିତ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି। ଛତିଶଗଡ଼ ସୀମାରେ ଥିବା ଚନ୍ଦାହାଣ୍ଡି ଓ ରାଇଘର ବ୍ଲକରେ ଗତ ୨ଦିନ ମଧ୍ୟରେ ୯୪ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ସୀମାନ୍ତ ଉମରକୋଟ ବ୍ଲକରେ ଗତ ୨ ଦିନରେ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଇଘର ବ୍ଲକ ସୀମାରେ ଥିବା ଛତିଶଗଡ଼ର କଙ୍କେର, ଉମରକୋଟ ବ୍ଲକ ସୀମାରେ ଥିବା କୋଣ୍ଡାଗାଁ ଜିଲ୍ଲା ଲକ୍‌ଡାଉନ୍‌ ଘୋଷଣା କରିସାରିଲେଣି ରାଜ୍ୟ ସରକାର। ଚନ୍ଦାହାଣ୍ଡି ବ୍ଲକ ସୀମାରେ ରହିଥିବା ଗୋରିଆବନ୍ଧ ଜିଲ୍ଲା ଆସନ୍ତାକାଲି ଠାରୁ ୧୦ଦିନ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପଡ଼ୋଶୀ ସରକାର। ବିଶେଷକରି ଚନ୍ଦାହାଣ୍ଡି, ରାଇଘର ଓ ଉମରକୋଟ ବ୍ଲକ ଅଞ୍ଚଳରେ ଛତିଶଗଡ ସୀମାରେ ଶହ ଶହ ସଂଖ୍ୟାରେ ଗାଁ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରତି ବ୍ଲକରେ କେବଳ ମୁଖ୍ୟରାସ୍ତା ଦୁଇଟିକୁ ସିଲ୍ କରି ଯାଞ୍ଚ ଚାଲିଛି। ଏବେ ମଧ୍ୟ ଶହ ଶହ ଗ୍ରାମରେ ରହିଥିବା ଗଳାବାଟରେ ନିୟମିତ ଚଳପ୍ରଚଳ ଚାଲିଛି। ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବାରେ ସାମାନ୍ୟ ବିଳମ୍ବ ଯୋଗୁ ଏବେ ଜିଲ୍ଲାରେ ସ୍ଥତି ବିଗିଡ଼ିବାରେ ଲାଗିଛି।

ସେହିପରି ନୂଆପଡ଼ା ଜିଲ୍ଲାରେ ବି କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଏବେ ଛତିଶଗଡ଼ରେ ଲକ୍‌ଡାଉନ୍‌ ହେବା ପରେ ନୂଆପଡ଼ା ଜିଲ୍ଲାରେ ପ୍ରତିଦିନ ୫୦ରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଛତିଶଗଡ଼ରୁ ଲୁଚିଛପି ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଆସି ରହିଯାଉଛନ୍ତି। ଫଳରେ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଜିଲ୍ଲାରେ ୭ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରଶାସନ ସଚେତନ ନହେଲେ ଆଗାମୀ ଦିନରେ ନୂଆପଡ଼ାରେ ବି ଛତିଶଗଡ଼ ଭଳି ସ୍ଥିତି ହେବା ଆଶଙ୍କା ରହିଛି।

Leave A Reply

Your email address will not be published.