ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ଅର୍ଥ ଦେଇ ନପାରି ଜେଲ ଗଲେ ସ୍ୱାମୀ

0

ନୂଆଦିଲ୍ଲୀ : ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ମାସିକ ୧.୭୫ ଲକ୍ଷର ଭରଣପୋଷଣ ସହିତ ୨.୬୦ କୋଟି ଟଙ୍କା ବକେୟା ଅର୍ଥ ପ୍ରଦାନ କରିବା କ୍ଷେତ୍ରରେ କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଜନୈକ ଅଭିଯୁକ୍ତ ସ୍ୱାମୀଙ୍କୁ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌କୋର୍ଟ ତିନି ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏ ସଂପର୍କରେ ଆଗତ ମାମଲାର ଶୁଣାଣି କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ୱାମୀଙ୍କୁ ପୂର୍ବରୁ ଏକ ଅଦାଲତ ଏକ ଲମ୍ବା ସୁଯୋଗ ଦେଇଥିଲେ। ହେଲେ, ସେ ତାଙ୍କ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ଦିଆଯାଇଥିବା ସୁଯୋଗକୁ ବ୍ୟବହାର କରିନାହାନ୍ତି।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ଭି ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପରେ ତାଙ୍କ ଆଦେଶରେ କହିଛନ୍ତି ଯେ ଆମେ ଛାଡ଼ପତ୍ର ଦେଇଥିବା ସ୍ୱାମୀଙ୍କୁ ଏକ ଲମ୍ବା ସୁଯୋଗ ଦେଇସାରିଛୁ। ହେଲେ, ତାଙ୍କୁ (ସ୍ୱାମୀ) ଦିଆଯାଇଥିବା ସୁଯୋଗକୁ ସେ ବ୍ୟବହାର କରିନାହାଁନ୍ତି। ତେଣୁ, ଏହି ଅଦାଲତର ଆଦେଶକୁ ଅବମାନନା କରିଥିବାରୁ ଆମେ ତାଙ୍କୁ ଦୋଷୀ ରୂପେ ବିବେଚନା କରିବା ସହ ତିନିମାସ କାରାଦଣ୍ଡରେ ଦଣ୍ଡିତ କରୁଛୁ।

ଟେଲିକମ୍‌ କ୍ଷେତ୍ରରେ ଜାତୀୟ ସୁରକ୍ଷା ପ୍ରକଳ୍ପରେ ଉଚ୍ଛ ପଦବୀରେ କାର୍ଯ୍ୟ କରୁଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ଅଦାଲତ ପୂର୍ବରୁ ଏକାଧିକ ଆଦେଶରେ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କୁ ଭରଣପୋଷଣ ସହ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ସ୍ୱାମୀ ଜଣକ ଅଦାଲତଙ୍କ ଆଦେଶର ଅବମାନନା କରିଚାଲିଥିଲେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଉକ୍ତ ବ୍ୟକ୍ତି କୋର୍ଟର ନିର୍ଦ୍ଦେଶ ପାଳନ କରିବାରେ ବାରମ୍ବାର ବିଫଳ ହୋଇ ବିଶ୍ୱସନୀୟତା ହରାଇଛନ୍ତି ଏବଂ ଏହି ପ୍ରକାରର ମାମଲା ଥିବା ବ୍ୟକ୍ତି କିପରି ଜାତୀୟ ସୁରକ୍ଷା ପ୍ରକଳ୍ପ ସହ ଜଡିତ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌କୋର୍ଟ।

Leave A Reply

Your email address will not be published.