ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡ଼ା ପଂଚାୟତ ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଗତ ୬ ତାରିଖ ଦିନ ଛୁରାମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୁନା ଭତରା (୩୦)। ଛୁରା ମାଡ଼ କରିଥିଲେ ୨୭ ବର୍ଷୀୟ ଋଷି କର୍କରା।
ପୁଲିସ ସୂଚନା ମୁତାବକ କୁର୍ମାକୋଟ ଗ୍ରାମର ମୁନା ଭତରା ଏବଂ ତୁମନାଥ କର୍କରାଙ୍କ ପରିବାର ମଧ୍ୟରେ କୌଣସି ବିଷୟକୁ ନେଇଁ ବଚସା ହୋଇଥିଲା। ତେବେ ଋଷି କର୍କରା ଏବଂ ତାଙ୍କ ବାପା ତୁମନାଥ କର୍କରା ମୁନା ଭତରାଙ୍କ ଘରକୁ ଯାଇ ଗଣ୍ଡଗୋଳ କରିଥିଲେ। ଏହି ସମୟ ମଧ୍ୟରେ ଋୁଷି ଏକ ଛୁରା ଦ୍ୱାରା ମୁନା ଭତରାଙ୍କୁ ଛାତି ପାର୍ଶ୍ୱରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମୁନାଙ୍କୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କୋରାପୁଟ ହସ୍ପିଟାଲରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିବା ବେଳେ ଗତକାଲି ରାତ୍ର ୩ ଘଣ୍ଟା ସମୟରେ ମୁନାଙ୍କ ମୃତ୍ୟୁ ହୋଇଛି।
ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ମାମଲା ରୁଜୁ ହୋଇଛି। ମରିଚମତିଙ୍କ ଏତଲା କ୍ରମେ ହତ୍ୟା ମାମଲାରେ ଜଡ଼ିତ ତୁମନାଥ ଏବଂ ରୁଷିଙ୍କ ପରିବାରର ଅନ୍ୟ ଦୁଇଜଣ ମହିଳାଙ୍କୁ ଥାନାକୁ ଆଣି ପୁଲିସ ତଦନ୍ତ ଚଳାଇଛି। ବିଶାଖାପାଟଣାରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ ବୋଲି ପୁଲିସ ସୂଚନା ଦେଇଛି। ଆଇଆଇସି ପ୍ରମୋଦ କୁମାର ନାୟକ କେଶର ତଦନ୍ତ କରୁଛନ୍ତି