ବିକାନେର୍: ରାଜସ୍ଥାନର ବିକାନେର୍ ଅନ୍ତର୍ଗତ ହିମ୍ମତ୍ସାର୍ରେ ଖେଳିଲା ବେଳେ ଏକ ‘ଗ୍ରେନ୍ ଷ୍ଟୋରେଜ୍ କଣ୍ଟେନର୍’ରେ (ଶସ୍ୟ ସାଇତି ରଖିବା ଆଧାର) ପଶି ଶ୍ୱାସରୁଦ୍ଧ ହୋଇ ୫ଜଣ ପିଲା ପ୍ରାଣ ହରାଇଥିବା କଥା ରବିବାର ଦିନ ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ଖେଳିବା ସମୟରେ ପିଲାମାନେ ଜଣକ ପରେ ଜଣେ ଶସ୍ୟ ସରି ଆସିଥିବା ଉକ୍ତ ‘କଣ୍ଟେନର୍’ ମଧ୍ୟକୁ ଡେଇଁପଡ଼ି ପଶିଯାଇଥିଲେ। ପିଲାଏ ଭିତରେ ଥିବାବେଳେ ଅକସ୍ମାତ ‘କଣ୍ଟେନର୍’ଟି ବନ୍ଦ ହୋଇଯାଇଥିଲା। ଫଳରେ ପିଲାମାନେ ଆଉ ବାହାରି ପାରି ନ ଥିଲେ।
ବିକାନେର୍ ଏସ୍ପି ପ୍ରୀତି ଚନ୍ଦ୍ରା କହିଛନ୍ତି ଯେ, ସେମାନଙ୍କର ମା ଘରକୁ ଆସି ଦେଖିଲେ ଯେ, ପିଲାଏ ନାହାନ୍ତି। ଖୋଜାଖୋଜି କରିବା ବେଳେ ସେ ‘କଣ୍ଟେନର୍’ ଖୋଲି ଦେବାରୁ ପିଲାମାନେ ଭିତରେ ଥିବା ଦେଖିଥିଲେ।
‘କଣ୍ଟେନର୍’ ମଧ୍ୟରୁ ବହାର କରାଯାଇଥିବା ୪ ବର୍ଷିୟ ସେବାରାମ, ୭ ବର୍ଷୀୟ ରବିନା, ୫ ବର୍ଷୀୟ ରାଧା, ୮ ବର୍ଷୀୟ ପୁନମ୍ ଏବଂ ମାଲିଙ୍କୁ ତୁରନ୍ତ ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।