ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ବିତୀୟ ଲହର ଭୟ ବଢ଼ାଇଛି। ଗତ ବର୍ଷ ଭଳି ୨୦୨୧ରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମଧ୍ୟପ୍ରଦେଶ ସରକାର ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଖୋଲିବା ଉପରେ ରୋକ ଲଗାଇଛନ୍ତି।
ଏପ୍ରିଲ ପହିଲାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବନ୍ଦ ରଖିବାକୁ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶ ଦେଇଛି। ପ୍ରଥମେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଥିବା ବେଳେ ଏବେ ଏହି ଅବଧିକୁ ଏପ୍ରିଲ୍ ୧୫ ଯାଏ ବଢ଼ାଇ ଦିଆଯାଇଛି। ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ପୂର୍ବ ନିୟମ ଜାରି ରହିବ ।୧୧ ଏପ୍ରିଲରୁ ନବମ ଏବଂ ଏକାଦଶ ଶ୍ରେଣୀ ର ପରୀକ୍ଷା ଆରମ୍ଭ ହେବ।
ସବୁଠୁ ଚିନ୍ତାଜନକ ବିଷୟ, ମଧ୍ୟପ୍ରଦେଶରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗତ ବର୍ଷରୁ ବନ୍ଦ ରହିଛି । କିନ୍ତୁ ଏହି ସମୟରେ ଅନଲାଇନ୍ କ୍ଲାସ୍ ଉପରେ ସରକାର ଗୁରୁତ୍ବ ଦେଇଥିଲେ। ଅନ୍ୟପଟେ କରୋନା କଟକଣା ସହ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲାଯାଇଥିଲା। ଯାହାକି ଚଳିତ ବର୍ଷ କରୋନା ମାମଲା ବୃଦ୍ଧି ଯୋଗୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିଛି।