କରୋନାରୁ ସୁସ୍ଥ ହେବାପରେ ଫଙ୍ଗସ ରୋଗୀଙ୍କ ଜବଡା ନଷ୍ଟ କରିଦେଉଛି

0

ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେବାପରେ ଫଙ୍ଗସ ରୋଗୀଙ୍କ ଜବଡା ନଷ୍ଟ କରିଦେଉଛି। ଗାଜିଆବାଦରେ ପ୍ରାୟ ୧୨ ଜଣଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଦେବ ପରେ ସେମାନଙ୍କ ଅପରେସନ କରିବାକୁ ପଡିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ସୁଗାର ଲେଭଲ ଉଚ୍ଚ ଥିଲା। ଏମାନଙ୍କୁ ୩-୪ ମାସ ପୂର୍ବରୁ କରୋନା ହୋଇଥିଲା। ଲକ୍ଷଣ ଜାଣିପାରିନଥିବାରୁ ଏମାନଙ୍କ ଅପରେସନ କରି ଅଧା ଜବଡା କାଟିବାକୁ ପଡିଛି। ଏ ସମ୍ବନ୍ଧରେ ଇଏନଟି ବିଶେଷଜ୍ଞ କହିଛନ୍ତି ଯେ ଲକ୍ଷଣ ଦେଖାଦେବ ମାତ୍ରେ ଡାକ୍ତରଙ୍କୁ ଯୋଗାଯୋଗ କରି ଚିକିତ୍ସା ଆରମ୍ଭ କରିବା ଉଚିତ।

ଗାଜିଆବାଦର ହର୍ଷ ଇଏନଟି ହସ୍ପିଟାଲର ନିର୍ଦ୍ଦେଶକ ଡ.ବିପି ତ୍ୟାଗୀ କହିଛନ୍ତି ଯେ ତାଙ୍କ ହସ୍ପିଟାଲରେ ଏଯାଏଁ ୫୮ ଫଙ୍ଗସ ରୋଗୀଙ୍କ ଉପଚାର କରାଯାଇଛି। ୫୮ ମଧ୍ୟରୁ ୩୬ ରୋଗୀଙ୍କ ନାକ ଓ ଆଖିରେ ଫଙ୍ଗସ ହୋଇଥିଲା। ଫଙ୍ଗସ ଯୋଗୁଁ ୧୨ ଜଣଙ୍କ ଜବଡା ତରଳି ଯାଇଥିଲା। ଏଥିପାଇଁ ମସ୍ତିସ୍କ ହାଡ ମଧ୍ୟ ନଷ୍ଟ ଯାଇଥିଲା। ସେ କହିଛନ୍ତି ଯେ ରୋଗୀଙ୍କ ଅବହେଳା ଯୋଗୁଁ ଫଙ୍ଗସ ମସ୍ତିସ୍କ ଓ ଜବଡା ଯାଏଁ ବ୍ୟାପି ଯାଉଛି। ଲୋକେ ଜାଣି ନ ପରି ଦାନ୍ତ ଡାକ୍ତରଙ୍କ ପାଖରେ ପ୍ରାଥମିକ ଚିକିତ୍ସା କରାଉଛନ୍ତି। ଇଏନଟି ଡାକ୍ତରଙ୍କୁ ପରାମର୍ଶ କଲାବେଳକୁ ବିଳମ୍ବ ହୋଇଯାଇଥାଏ ଓ ଫଙ୍ଗସ ଜବଡା ଯାଏଁ ବ୍ୟାପି ଯାଇଥାଏ। ରୋଗୀର ଜୀବନ ବଞ୍ଚାଇବାକୁ ଅଧା ଜବଡା ହଟାଇବାକୁ ପଡୁଛି। ଏହାପରେ ୫-୬ ମାସ ପରେ କୃତ୍ରିମ ଜବଡା ଲଗାଯିବ। ସେ କହିଛନ୍ତି ଯେ ସେହି କରୋନା ରୋଗୀଙ୍କ ଜବଡାରେ ଫଙ୍ଗସ ହେଉଛି ଯେଉଁମାନଙ୍କ ସୁଗାର ନିୟନ୍ତ୍ରଣ ହୋଇପାରୁନାହିଁ। ମଧୁମେହ ରୋଗୀ ନିଜ ସୁଗାର ଲେଭଲ ବଢିବାକୁ ନ ଦେଇ ନିୟନ୍ତ୍ରଣରେ ରଖିବାକୁ  ସେ ପରାମର୍ଶ ଦେଇଛନ୍ତି।

ଲକ୍ଷଣ :

ଜବଡାରେ ଫଙ୍ଗସ ହେବାପରେ ଦାନ୍ତ ହଲିବାକୁ ଲାଗିଥାଏ

ମାଢିରେ ଯନ୍ତ୍ରଣା ହୋଇଥାଏ

ଗୋଟିଏ ପରେ ଗୋଟିଏ ଦାନ୍ତ ହଳିଥାଏ

ସଂକ୍ରମଣ ଅଧିକ ହେଲେ ଆଖିରେ ସୁଜନ ହୋଇଥାଏ

Leave A Reply

Your email address will not be published.