କରୋନାର ତୃତୀୟ ଲହରୀ ଆଶଙ୍କା, ୮ଟି ରାଜ୍ୟରେ ଡେଲ୍ଟା ଭ୍ୟାରିଆଣ୍ଟର ୫୦ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ

0

ନୂଆଦିଲ୍ଲୀ : ଧୀରେ ଧୀରେ ବଢୁଛି ବିପଦ। ପାଦ ଚାପି ଚାପି ଆସୁଛି କରୋନାର ତୃତୀୟ ଲହରୀ। ସାମାନ୍ୟ ଅବହେଳା କଲେ ବୁଡିବ ଭେଳା। ଏଯାଏଁ ଦେଶରେ ୧୨ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି କରୋନାର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ। ଏହି ସବୁ ରାଜ୍ୟରେ ୪୯ଟି ସାମ୍ପୁଲରୁ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ସେହିପରି ସାରା ଦେଶରେ ୮ଟି ରାଜ୍ୟରେ ଚିହ୍ନଟ ହେଲେଣି କରୋନାର ମାରାତ୍ମକ ଡେଲ୍ଟା ଭ୍ୟାରିଆଣ୍ଟର ୫୦ ପ୍ରତିଶତ ସଂକ୍ରମଣ ମାମଲା। ମହାରାଷ୍ଟ୍ର, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା ଏବଂ ତେଲେଙ୍ଗାନାରୁ ଡେଲ୍ଟା ଭ୍ୟାରିଆଣ୍ଟର ୫୦ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲ୍ଟା ପ୍ଲସ୍ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭, ପଞ୍ଜାବରେ ୨, ଗୁଜୁରାଟରେ ୨, କେରଳରେ ୩, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ଜଣେ ଜଣେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଜଣେ ୮୦ ବର୍ଷିୟା ବୃଦ୍ଧଙ୍କର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟରେ ମୃତ୍ୟୁ ହୋଇଛି।

ରାଷ୍ଟ୍ରୀୟ ମହାମାରୀ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ସୁଜିତ କୁମାର ସିଂହ କହିଛନ୍ତି ଯେ, ଏଯାଏଁ ୨୧ ହଜାର ୧୦୯ ସାମ୍ପୁଲରେ କରୋନାର ମାରାତ୍ମକ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଆଲ୍ଫାର ୩୯୬୯ ମାମଲା ଚିହ୍ନଟ ହୋଇଥିବା ବେଳେ ବିଟାର ୧୪୯, ଗାମାର ଗୋଟିଏ ଏବଂ ଡେଲ୍ଟା ଓ କାପା ଭ୍ୟାରିଆଣ୍ଟର ୧୬୨୩୮ ମାମଲା ଚିହ୍ନଟ ହୋଇଛନ୍ତି।

କରୋନା ମହାମାରୀର ଦ୍ଵିତୀୟ ଲହରୀ ପୂର୍ବରୁ ଫେବୃଆରୀ ଏବଂ ମାର୍ଚ୍ଚରେ ସବୁଠୁ ଅଧିକ ଆଲ୍ଫା ଭ୍ୟାରିଆଣ୍ଟ ଚିହ୍ନଟ ହେଉଥିଲେ। ହେଲେ ମେ ଏବଂ ଜୁନ୍ ମାସ ବେଳକୁ ୯୦ ପ୍ରତିଶତ ସାମ୍ପୁଲରୁ ଡେଲ୍ଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଦେଶରେ ଏଯାଏଁ କରୋନାର ୧୨୦ ମ୍ୟୁଟେସନ ସାମ୍ନାକୁ ଆସିଛି। ହେଲେ ସେଗୁଡିକ ମଧ୍ୟରୁ ୮ଟି ମାରାତ୍ମକ ଭ୍ୟାରିଆଣ୍ଟ ରହିଛି। ସେପଟେ କରୋନାର ଅନ୍ୟ ୧୪ଟି ଭ୍ୟାରିଆଣ୍ଟ ବିଷୟରେ ବୈଜ୍ଞାନିକମାନଙ୍କ ନିକଟରେ ସବିଶେଷ ତଥ୍ୟ ନାହିଁ।

Leave A Reply

Your email address will not be published.