ମୁରେନା : ମଧ୍ୟପ୍ରଦେଶ ମୁରେନା ଜିଲ୍ଲା ଅମ୍ବାହ ତହସିଲ ଅଞ୍ଚଳରେ କରୋନା ଭ୍ୟାକସିନ ଦିଆଯିବା ପରେ ଜଣେ ୧୬ ବର୍ଷୀୟ ବାଳକ ଅସୁସ୍ଥ ହୋଇପଡିଲେ। ଅଧିକାରୀ ରବିବାର ଦିନ ଯାଞ୍ଚ ଆଦେଶ ଦେଇଛନ୍ତି। ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯାଞ୍ଚରୁ ଜଣାପଡିବ ଯେ ବାଳକକୁ ଭ୍ୟାକସିନ କିଭଳି ଦିଆଯାଇଛି। ସରକାର ଏବେ ଯାଏଁ ନାବାଳକଙ୍କ ଟୀକାକରଣ ଅଭିଯାନ ଆରମ୍ଭ କରିନାହାନ୍ତି।
ସୂତ୍ର ଅନୁଯାୟୀ, କମଲେସ କୁଶବାହାଙ୍କ ପୁଅ ପିଲ୍ଲୁ ଶନିବାର ଦିନ ମୁରେନା ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୩୫ କିଲୋମିଟର ଦୂର ଏକ ଟୀକାକରଣ କେନ୍ଦ୍ରରେ କରୋନା ଭ୍ୟାକସିନ ଡୋଜ ନେଇଛି। ଟୀକା ନେବାପରେ ନାବାଳକର ମୁଣ୍ଡ ବୁଲେଇଥିଲା। ଡାକ୍ତର ତାକୁ ଗ୍ୱାଲିୟର ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ପିଲ୍ଲୁ ଅସୁସ୍ଥ ହେବାପରେ ତାଙ୍କ ପରିବାର ଟୀକାକରଣ କେନ୍ଦ୍ରରେ ହଙ୍ଗାମା ହୋଇଥିଲା।
ମୁରେନା ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡ.ଏଡି ଶର୍ମା ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ‘ଆମେ ଯାଞ୍ଚ କରୁଛୁ ପିଲ୍ଲୁ ଗ୍ୱାଲିୟର ପହଞ୍ଚିଲା ନା ନାହିଁ। ଅସ୍ପଷ୍ଟ ଖବର ଅନୁଯାୟୀ, ସେ ଗ୍ୱାଲିୟର ଯିବା ବଦଳରେ ନିଜ ଘରକୁ ଫେରି ଆସିଛି।’ ସେ କହିଛନ୍ତି ଯେ ଆଜି ସକାଳେ ପିଲ୍ଲୁ ଘରକୁ ଏକ ଟିମ ପଠାଯାଇଛି। ତେବେ ପିଲ୍ଲୁ ମିର୍ଗୀରେ ପୀଡିତ କି ବୋଲି ମଧ୍ୟ ଯାଞ୍ଚ ହେଉଛି। ଏହାସହ ପିଲ୍ଲୁର ଆଧାର କାର୍ଡ ଯାଞ୍ଚ ମଧ୍ୟ ହେବ। ପିଲ୍ଲୁର ଆଧାର କାର୍ଡ ଅନୁଯାୟୀ ତାର ବୟସ ୧୬ ବର୍ଷ। ଆଧାର କାର୍ଡରେ ଜନ୍ମ ତିଥି ୨୦୦୫ ଜାନୁଆରୀ ୧ ତାରିଖ ଅଛି।