କରୋନା ଭ୍ୟାକସିନ୍ ନେବାପରେ ରକ୍ତ ଜମାଟ ବାନ୍ଧୁଥିବା ନେଇ ଅଭିଯୋଗ

0

ଲଣ୍ଡନ: କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢେଇରେ ଏବେ କେବଳ ଭ୍ୟାକସିନ୍ ସବୁଠାରୁ ବଡ ଆଶା। ବିଭିନ୍ନ ଦେଶରେ ଟୀକାକରଣ ଜାରି ରହିଛି,କିନ୍ତୁ ମଝିରେ ମଝିରେ ବହୁବାର ଏଭଳି ଖବର ଆସୁଛି ଯାହାକୁ ନେଇ ଲୋକଙ୍କ ମନ ଭିତରେ ସନ୍ଦେହ ସୃଷ୍ଟି ହେଉଛି। ଆୟରଲାଣ୍ଡରେ ମଧ୍ୟ ଏଭଳି ମାମଲା ସାମନାକୁ ଆସିଛି। କୁହାଯାଉଛି ଯେ, କରୋନା ଭ୍ୟାକସିନ୍ ପରେ ରକ୍ତ ଜମାଟ ବାନ୍ଧିବା ମାମଲା ସାମନାକୁ ଆସୁଛି।

ନରଓ୍ବେରେ ଟୀକାକରଣ ପରେ ରକ୍ତ ଜମାଟ ବାନ୍ଧିବା ସମ୍ପର୍କିତ ରିପୋର୍ଟ ସାମନାକୁ ଆସିଛି। ଏହାପରେ ଆୟରଲାଣ୍ଡର ସ୍ବାସ୍ଥ୍ୟ ଅଧିକାରୀମାନେ ଆଷ୍ଟ୍ରଜେନେକା (AstraZeneca)ଟୀକା ବ୍ୟବହାର କରିବା ନେଇ ଅସ୍ଥାୟୀ ଭାବରେ ରୋକ ଲଗାଇ ଦିଆଯାଇଛି। ଆୟରଲାଣ୍ଡର ଡେପୁଟି ସିଏମଓ ଡକ୍ଟର ରୋନନ ଗ୍ଲିନ୍ କହିଛନ୍ତି, ନରଓ୍ବେର ମେଡିକାଲ ଏଜେନ୍ସି AstraZeneca ଟୀକା ଲଗାଇବା ପରେ  ବୟସ୍କଙ୍କ ରକ୍ତ ଜମାଟ ବାନ୍ଧିବାର ୪ଟି ମାମଲାର ସୂଚନା ଦିଆଯାଇଛି। ଏହାପରେ ତାହାର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ରବିବାର ସୁପାରିଶ କରାଯାଇଛି।

ଡକ୍ଟର ରୋନନ ଗ୍ଲିନଙ୍କ କହିବା ଅନୁସାରେ, ଏହା ସ୍ପଷ୍ଟ ହୋଇପାରିନି ଯେ, ଟିକା ଓ ଏହି ମାମଲା ଭିତରେ କ’ଣ ସମ୍ପର୍କ ରହିଛି? କିନ୍ତୁ ସତର୍କତା ରକ୍ଷା କରି ରୋକ ଲଗାଇ ଦିଆଯାଇଛି। ବ୍ରିଟେନ୍-ସ୍ବିଡିଶ କମ୍ପାନୀ AstraZeneca ରବିବାର କହିଛି ଯେ, ସେ ସ୍ପଷ୍ଟ ଭାବରେ ବୈଜ୍ଞାନିକ ପ୍ରମାଣ ଆଧାରରେ କୋଭିଡ୍-୧୯ ଟୀକାର ବ୍ୟବହାର ସୁରକ୍ଷିତ ଥିବା ନେଇ ଆଶ୍ବସ୍ଥ ହେବାକୁ ଚାହୁଁ। ଲୋକଙ୍କ ସୁରକ୍ଷା ସବୁବେଳେ ଆମର ପ୍ରାଥମିକତା ରହିବ। ଏହି ମାମଲାର ସମୀକ୍ଷା କରାଯାଉଛି।

ଏହା ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଓ ୟୁରୋପୀୟ ସଂଘର ମେଡିକାଲ ରେଗୁଲେଟର କହିଛି, ଏହି ଟୀକା ଓ ରକ୍ତ ଜମାଟ ବାନ୍ଧିବାରେ କୌଣସି ସମ୍ପର୍କ ନାହିଁ। କରୋନା ଭ୍ୟାକସିନ AstraZenecaର ବ୍ୟବହାରକୁ ନେଇ ଭୟର ଖବର ଭିତରେ ଡବ୍ଲୁଏଚଓ ଏହାକୁ ପ୍ରଭାବୀ ବୋଲି ଘୋଷଣା କରିଛି। ଡବ୍ଲୁଏଚଓର ମୁଖପାତ୍ର ମାର୍ଗେଟ୍ ହାରିସ୍ ଗଣମାଧ୍ୟମ ସହିତ କଥା ହୋଇ କହିଛି, ଏହାର ବ୍ୟବହାର ରୋକିବା ଦରକାର ନାହିଁ। ଏହାର ଡୋଜ୍ ନେବା ଜାରି ରଖିବା ଦରକାର।

Leave A Reply

Your email address will not be published.