ଥିରୁଅନନ୍ତପୁରମ୍ : କେରଳରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବା ବେଳେ ଛୋଟ ପିଲାଙ୍କ ପାଇଁ ଘାତକ ହୋଇଛି। ରାଜ୍ୟରେ ଏବେ କୋଭିଡ ପରବର୍ତ୍ତୀ ଜଟିଳତାରେ ଶିଶୁ ଅଧିକ ଆକ୍ରାନ୍ତ ହେବା ସହ ପ୍ରାଣ ମଧ୍ୟ ହରାଉଛି । ଗତ ୫ ମାସ ମଧ୍ୟରେ ପାଖାପାଖି ୩୦୦ରୁ ଅଧିକ ଶିଶୁ ମଲ୍ଟି-ସିଷ୍ଟମ ଇନଫ୍ଲେମେଟୋରି ସିଂଡ୍ରୋମ୍ ଇନ୍ ଚିଲଡ୍ରେନ୍ (MIS-C)ରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଛି। MIS-C କେରଳର ଶିଶୁମାନଙ୍କ ପାଇ ଘାତକ ସାଜିଥିବା ବେଳେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
ପିଲାମାନଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ହସ୍ପିଟାଲ ନେବାକୁ ଅଭିଭାବକଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍। ଏହାର ନିରାକରଣ ସମ୍ଭବ । ଯଦି ଏହାକୁ ଅଣଦେଖା କରାଯାଏ ତେବେ ମୁସ୍କିଲ୍ ବଢ଼ିବ ବୋଲି ସେ କହିଛନ୍ତି।
MIS-C ଲକ୍ଷଣ
ଯେଉଁ ଶିଶୁଙ୍କ ଶରୀରରେ କରୋନାରୁ ସୁସ୍ଥ ହେବାର ୩-୪ ସପ୍ତାହ ପରେ ଜ୍ବର, ପେଟ ବ୍ୟଥା, ଆଖି ଲାଲ ହେବା ଏବଂ ବାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଯାଏ ତେବେ ତାହା MIS-Cର ଲକ୍ଷଣ । ଏହି ଲକ୍ଷଣ ବିଶେଷ କରି ୧୫ ବର୍ଷରୁ କମ ବୟସର ପିଲାଙ୍କ ଠାରେ ଦେଖିବାକୁ ମିଳୁଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରଥମ MIS-C ମାମଲା ଚଳିତ ବର୍ଷ ଥିରୁଅନନ୍ତପୁରମ୍ର ସରକାରୀ ହସ୍ପିଟାଲରୁ ମିଳିଥିଲା।
କେରଳରେ କରୋନା ସଂକ୍ରମଣ ବଢ଼ୁଛି
ଭାରତରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି। କେରଳ ପାଇଁ ଭାରତରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି ବୋଲି କୁହାଯାଉଛି। ଶନିବାର ଦେଶରେ ୪୭ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୨୪ ଘଣ୍ଟାରେ ୫୦୯ ମୁଣ୍ଡ ନେଇଛି କୋଭିଡ୍ ଭାଇରସ୍। କେବଳ କେରଳରେ ଗୋଟିଏ ଦିନରେ ୩୨୮୦୧ ନୂଆ ମାମଲା ମିଳିଛି ।