ନୂଆଦିଲ୍ଲୀ,: ଟିକା ଅଭାବରୁ ଭାରତରେ ଯେତେବେଳେ ଭ୍ୟାକ୍ସିନ୍ ସେଣ୍ଟର ବନ୍ଦ ହେଉଛି ସେତେବେଳେ ଇସ୍ରାଏଲ୍ କରୋନାକୁ ପ୍ରତିହତ କରିବା ପାଇଁ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛି । ଇସ୍ରାଏଲ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହର ସୋମବାର ଠାରୁ ଟିକାକରଣ ଆରମ୍ଭ କରିଦେଇଛି । ବର୍ତ୍ତମାନ ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକ ମାନଙ୍କୁ ହିଁ ଦିଆଯାଉଛି ।
କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ଦେଶରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଇସ୍ରାଏଲ୍ରେ କରୋନା ମାମଲା ଗୋଟିଏ ସଂଖ୍ୟାରେ ସୀମିତ ଥିବା ବେଳେ ଗତ ମାସରେ ଏହା ଗୋଟିଏ ଦିନରେ ୪୫୦କୁ ବୃଦ୍ଧି ପାଇଥିଲା । ମାମଲାକୁ ଦେଖି ଇସ୍ରାଏଲ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିତଜନ ହୋରୋଭିଜ୍ କହିଛନ୍ତି ଯେ, ବୁଷ୍ଟର ଡୋଜ୍ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଇସ୍ରାଏଲର ବୟସ୍କମାନେ ଏବଂ ଯେଉଁମାନେ ଫାଇଜର୍ର ଦୁଇଟି ଯାକ ଡୋଜ୍ ଗ୍ରହଣ କରିବା ସତ୍ତ୍ୱେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହୁଥିବ ସେମାନେ ଫାଇଜର ଏକ ବୁଷ୍ଟର୍ ସଟ୍ ପାଇପାରିବେ।
Pfizer ଏବଂ ଏହାର ସହଭାଗୀ Biontech-SE ହେଉଛି ଇସ୍ରାଏଲକୁ ଟିକା ରପ୍ତାନି କରୁଥିବା ବୃହତ୍ତମ କମ୍ପାନୀ । ଏହି କମ୍ପାନୀ କହିଛି ଯେ ଏହା ବର୍ତ୍ତମାନ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କୁ କିଛି ସପ୍ତାହ ମଧ୍ୟରେ ବୁଷ୍ଟର ଡୋଜ ଦେବା ପାଇଁ ଅନୁମୋଦନ କରିବାକୁ କହିବ । କମ୍ପାନୀ ଦାବି କରିଛି ଯେ ଟୀକାର ଉଭୟ ଡୋଜ୍ ଗ୍ରହଣ କରିବାର ୬ ମାସ ପରେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଥାଏ, ତେଣୁ ଏଥିପାଇଁ ତୃତୀୟ ଡୋଜ୍ ଆବଶ୍ୟକ ।