କୋଭିସିଲ୍ଡ ଟିକାର ଏକ୍ସପାରି ଅବଧିକୁ କୁ ବୃଦ୍ଧି କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତ୍ୟାଖ୍ୟାନ କଲା

0

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଏକ୍ସପାରି ଅବଧିକୁ ୬ରୁ ୯ମାସକୁ ବୃଦ୍ଧି କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟର ପ୍ରସ୍ତାବକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବଲ୍ୟୁଏଚଓ) ପ୍ରତ୍ୟାଖ୍ୟାନ କରିଦେଇଛି । ବ୍ରିଟେନ ସରକାର ଏହି ଟିକାର ଏକ୍ସପାରି ଅବଧି ୬ ମାସ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଭାରତ ସରକାର କିଛି ସପ୍ତାହ ତଳେ ଏହି ଅବଧିକୁ ୬ରୁ୯ ମାସକୁ ବୃଦ୍ଧି କରିଦେଇଥିଲେ । ଏହାଯୋଗୁ ଟିକା ନଷ୍ଟ ହେବାକୁ ରୋକାଯାଇପାରିବ ବୋଲି ସରକାର ଯୁକ୍ତି ବାଢିଥିଲେ । ମାତ୍ର ଏବେ ଡବଲ୍ୟୁଏଚଓ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । ସେରମ ଇନଷ୍ଟିଚ୍ୟୁଟ୍‌ ଏନେଇ ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ଙ୍କ ସହିତ ଆଲୋଚନା କରିବ ବୋଲି ପ୍ରକାଶ କରିଛି ।

କରୋନା ପ୍ରତିଷେଧକ ଟିକା ଯୋଗାଣରେ ବିଳମ୍ବକୁ ନେଇ ବ୍ରିଟେନ ସ୍ଥିତ ଆଷ୍ଟ୍ରାଜେନେକା କଂପାନି ଭାରତୀୟ କଂପାନି ସେରମକୁ ଲିଗାଲ ନୋଟିସ ପଠାଇଛି । ଆଷ୍ଟ୍ରାଜେନେକା ସହିତ ବୁଝାମଣା କରି ସେରମ ତା’ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ଭାରତରେ ଉତ୍ପାଦନ କରୁଛି । ମାତ୍ର ଏବେ ଆଷ୍ଟ୍ରାଜେନେକା ଅଭିଯୋଗ କରିଛି କି ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ବୁଝାମଣାର ସର୍ତ୍ତ ଠିକ୍‌ ଭାବେ ପାଳନ କରିନାହିଁ । ସେରମ ବ୍ରିଟେନକୁ ଟିକା ଯୋଗାଇବାରେ ବିଳମ୍ବ କରିଛି । ତା’ଛଡା କୋଭାକ୍ସ ଯୋଜନାରେ ଅନ୍ୟ ଦେଶମାନଙ୍କୁ ଟିକା ଯୋଗାଇବାରେ ବି ସେରମ ଅହେତୁକ ବିଳମ୍ବ କରୁଛି । ସେପଟେ, ସେରମ କହିଛି କି ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ କଂପାନି ଏବେ ବିଦେଶକୁ ଟିକା ରପ୍ତାନି ହ୍ରାସ କରିଛି । ଆଉ ମାସେ କି ଦୁଇ ମାସ ଭିତରେ ପରିସ୍ଥିତି ସୁଧୁରିଯିବ । ତା’ ପରେ ପୁଣି ବିଦେଶକୁ ଟିକା ରପ୍ତାନି ସ୍ୱାଭାବିକ ହେବ । ସେରମ ଆହୁରି କହିଛି କି ସିଏ ଆଷ୍ଟ୍ରାଜେନେକା ସହିତ ଟିକା ଯୋଗାଣକୁ ନେଇ ଚାଲିଥିବା ବିବାଦର ଆପୋଷ ବୁଝାମଣା ଭିତ୍ତିରେ ସମାଧାନ କରିବାକୁ ଉଦ୍ୟମ କରୁଛି ।

Leave A Reply

Your email address will not be published.