ଭୁବନେଶ୍ୱର : ‘ପ୍ରାୟ ଦେଢ଼ ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ଆପଣଙ୍କ ନାଁକୁ ଚୟନ କରାଯାଇଛି । କ୍ରେଡିଟ୍ କାର୍ଡକୁ ଆଜୀବନ ଦେୟ ମୁକ୍ତ ହୋଇଯିବ । ଏଥିପାଇଁ ଭେରିଫିକେସନ କୋର୍ଡ ଦିଅନ୍ତୁ ।’ ଏମିତି ସାଇବର ଜାଲ ବିଛାଇ ସାଇବର ଠକ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି । ସାଇବର ଠକେଇର ଶିକାର ହୋଇଛନ୍ତି ନୟନ କିଶୋର ମହାପାତ୍ର । ସେ ମଞ୍ଚେଶ୍ୱର କେଳୁଚରଣ ପାର୍କର ନେତାଜୀ ସୁବାଷ ଏନ୍କ୍ଲେଭ୍ର ଏମ୍-୧୫ରେ ରହୁଛନ୍ତି । ଠକେଇ ସମ୍ପର୍କରେ ସାଇବର ହେଲ୍ପ ଡେସ୍କ ଓ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ।
ନୟନ ଜାମସେଦପୁରର ଏକ ଘରୋଇ କମ୍ପାନୀରେ ସିନିଅର ଜେନେରାଲ ମ୍ୟାନେଜର ଅଛନ୍ତି । ଗତ ଫେବୃଆରୀ ମାସରେ ‘ଆର୍ବିଏଲ୍’ର ଏକ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିଥିଲେ । ଯାହାର ନୂଆ କାର୍ଡ ଡାକ ଯୋଗେ ତାଙ୍କ ଘରକୁ ଆସିଥିଲା । ଏହାର ପାସ୍ୱାର୍ଡ କହିବା ବାହାନାରେ ଜଣେ ସାଇବର ଠକ ତାଙ୍କୁ ଗତକାଲି ସନ୍ଧ୍ୟାରେ ‘୯୯୬୪୪୧୫୧୮୦’ ନମ୍ବରରେ ଫୋନ୍ କରିିଥିଲା । ନିକା ଶର୍ମା ନାମକ ଯୁବତୀ ଜଣକ ନିଜକୁ ‘ଆର୍ବିଏଲ୍ କ୍ରେଡିଟ୍ କାର୍ଡ କଷ୍ଟମର କେୟାର’ କର୍ମଚାରୀର ପରିଚୟ ଦେଇଥିଲେ । ଆଉ କ୍ରେଡିଟ୍ କାର୍ଡ ପାର୍ସୱାର୍ଡ ଦେବା ବାହାନାରେ ପ୍ୟାନ୍କାର୍ଡ ନମ୍ବର, ଜନ୍ମ ତାରିଖ ଓ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ମାଗିଥିଲେ ।
କିଛି ସମୟର କଥୋପକଥନ ପରେ ଯୁବତୀଜଣକ ଜୀବନ ସାରା ପାଇଁ କ୍ରେଡିଟ୍ କାର୍ଡକୁ ଦେୟ ମୁକ୍ତ କରିବା ପ୍ରଲୋଭନ ଦେଖାଇଥିଲେ । ନୟନଙ୍କ ମୋବାଇଲ୍କୁ ଆସିଥିବା ଭେରିଫିକେସନ କୋର୍ଡକୁ ହାତେଇ ନେଇଥିଲେ । ଏହାର କିଛି ମିନିଟ୍ ପରେ ନୟନଙ୍କ କ୍ରେଡିଟ୍ କାର୍ଡରୁ ପ୍ରାୟ ୧୫ ହଜାର ୧୫୦ ଟଙ୍କା କଟିଯାଇଥିଲା । ଅଚାନକ୍ ଏମିତି ଟଙ୍କା କଟିବା ଦେଖି ନୟନ ତୁରନ୍ତ ଆର୍ବିଏଲ୍ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ସାଇବର ଠକେଇର ଶିକାର ହୋଇଥିବା ଶୁଣି ନୟନ ତୁରନ୍ତ କାର୍ଡକୁ ବ୍ଲକ କରିଥିଲେ । ନଚେତ୍, ବ୍ୟାଙ୍କ ଆକାଉଣ୍ଟରେ ଥିବା ବଳକା ୮୫ ହଜାର ଟଙ୍କା ଗାଏବ୍ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି।