କ୍ରେଡିଟ୍‌ କାର୍ଡରୁ ଅଢ଼େଇ ଲକ୍ଷ ନେଇଗଲେ ସାଇବର ଠକ

0

କଟକ: ଅନ୍‌ଲାଇନ୍‌ ଯୋଗେ ମଦ କିଣିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ମଦ କିଣିବା ବେଳେ କ୍ରେଡିଟ୍‌ କାର୍ଡରୁ ସାଇବର ଠକମାନେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଘଟଣାଟି ଘଟିଛି ସିଡିଏ ଅଞ୍ଚଳରେ। ଏନେଇ ମର୍କତନଗର ଥାନାରେ ମାମଲା ରୁଜୁ ହୋଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣ ଆଇଟି ସେକ୍ଟରର୍‌ରେ କାମ କରନ୍ତି।

 

ପୁଲିସର କହିବାନୁସାରେ, ସିଡିଏ ସେକ୍ଟର-୮ର ଦେବାଂଶୁ ପାଣି ଆଇଟି ସେକ୍ଟରରେ କାମ କରୁଛନ୍ତି। ଦୁଇ ଦିନ ତଳେ ସେ ଏକ ୱେବ୍‌ସାଇଟ୍‌ ଜରିଆରେ ମଦ କିଣିବା ପାଇଁ ପ୍ରଚେଷ୍ଟା କଲେ । ମଦ ଅର୍ଡର କରିବା ପରେ ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଆସିଲା। ପରେ ସେ ତାଙ୍କ ଆଇସିଆଇସିଆଇ କ୍ରେଡିଟ୍‌ କାର୍ଡରୁ ଟଙ୍କା ପୈଠ କରିବାକୁ ଲାଗିଲେ । ମାତ୍ର ଏହି ସମୟରେ ନିର୍ଦ୍ଦେଶ ଆସିଲାକି ତାଙ୍କ ଫୋନ୍‌କୁ ଏକ ଓଟିପି ଆସିଛି, ଯାହାକୁ ତୁରନ୍ତ ପ୍ରଦାନ କଲେ ଟଙ୍କା ପୈଠ ହେବ। ଏଥିପାଇଁ ଶ୍ରୀ ପାଣି ଉକ୍ତ ଓଟିପି ପ୍ରଦାନ କରିଦେଲେ । ମାତ୍ର ଟ୍ରାନ୍‌ଜାକ୍‌ସନ୍‌ ପୂରଣ ହୋଇପାରିଲା ନାହିଁ ବୋଲି ପୁଣି ମେସେଜ୍‌ ଆସିଲା । ଏହାପରେ ପୁଣି ଏକ ଓଟିପି ଆସିଲା । ତାହାକୁ ମଧ୍ୟ ସେ ପ୍ରଦାନ କରିଦେଲେ । ଏଭଳି ପ୍ରାୟ ୫ଟି ଓଟିପି ସେ ପ୍ରଦାନ କରିଦେଲେ ।

 

ପରେ ତାଙ୍କର ଟ୍ରାନ୍‌ଜାକ୍‌ସନ୍‌ ହୋଇଗଲା ବୋଲି ନିର୍ଦ୍ଦେଶ ଆସିଲା । ହେଲେ ଏହାର କିଛି ସମୟ ପରେ ତାଙ୍କ ଫୋନ୍‌କୁ ମେସେଜ୍‌ ଆସିଲା ଯେ, କ୍ରେଡିଟ୍‌ କାର୍ଡ ଆକାଉଣ୍ଟ୍‌ରୁ ପ୍ରାୟ ୨ ଲକ୍ଷ ୪୦ ହଜାର ଟଙ୍କା କଟିଯାଇଛି । ଏହାଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଠକାମିର ଶିକାର ହୋଇଥିବା ଜାଣି ସେ ପରଦିନ ଯାଇ ଏନେଇ ମର୍କତନଗର ଥାନାରେ ଏତଲା ଦାୟର କଲେ । ପୁଲିସ ଆଇଟି ଆକ୍ଟରେ ଏକ ମଇାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଶ୍ରୀ ପାଣି ହେଉଛନ୍ତି ଜଣେ ଆଇଟି ସେକ୍ଟର୍‌ରେ କାମ କରୁଥିବା ବ୍ୟକ୍ତି । ସେ ସବୁ ଦିନ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ରେ କାମ କରୁଥିଲେ ବି ନିଜର କ୍ରେଡିଟ୍‌ କାର୍ଡ ଓଟିପିକୁ ଅନ୍ୟକୁ ପ୍ରଦାନ କରିଦେଲେ । ଏହି କଥା ଜାଣିବା ପରେ ପୁଲିସ ମଧ୍ୟ ଆଶ୍ଚର୍ଯାନ୍ୱିତ ହୋଇଛି ।

Leave A Reply

Your email address will not be published.