କଟକରେ ବଢ଼ିବାରେ ଲାଗିଛି କରୋନା, ଘରୋଇ ସ୍କୁଲରେ ୧୭ ପଜିଟିଭ୍‌ ଚିହ୍ନଟ

0

କଟକ  : କଟକରେ ବେକାବୁ ହେଲାଣି କରୋନା । ପ୍ରଥମେ କଲେଜ ହଷ୍ଟେଲ ଆଉ ଏବେ ସ୍କୁଲରୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି କଟକରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । କଟକର ଏକ ଘରୋଇ ସ୍କୁଲ ଓ ଆଶ୍ରମରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୩୨ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେପଟେ ଆଜିଠାରୁ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯିବ।

କଲେଜ ପରେ ସ୍କୁଲ୍‌ । ଦୁଇ ଦିନ ଭିତରେ କଟକ ସହରର ଏକ ଘରୋଇ କଲେଜର ହଷ୍ଟେଲରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଏକ ଘରୋଇ ସ୍କୁଲରେ କରୋନା ବୋମା ବିସ୍ଫୋରଣ ହୋଇଛି । ଘରୋଇ ବିଦ୍ୟାଳୟର ପ୍ରାୟ ୧୭ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ପ୍ରଶାସନ ମୁଣ୍ଡରେ ଚଡ଼କ ପଡିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ୍‌କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ସେପଟେ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯିବା ନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ରାଜ୍ୟରେ ଦିନିକିଆ ଆକ୍ରାନ୍ତ ତାଲିକାରେ କଟକ ଏବେ ଶୀର୍ଷରେ ରହିଛି । ଗୋଟିଏ ଦିନକରେ ଜିଲ୍ଲାରୁ ୨୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି । ଏଥିରେ କେବଳ ସହରର ୧୫ ଜଣ ଥିବା ବେଳେ ଗ୍ରାମାଞ୍ଚଳରୁ ୫ଜଣ ପଜିଟିଭ୍‌ ବାହାରିଛନ୍ତି । ତେବେ  କଟକରେ ଗତ ୧୭ ଦିନରେ ପ୍ରାୟ ୧୧୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ରହିଛି ।

ତେବେ  ଲଗାତର ଭାବେ କଲେଜ ଓ ସ୍କୁଲରୁ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି । ଯଦିଓ ଏମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇଛି । କିନ୍ତୁ ଭୟ ସମ୍ପୂର୍ଣ୍ଣ ଦୂରେଇନାହିଁ । ତେଣୁ ଏହି କଲେଜରେ ପଢୁଥିବା ଛାତ୍ରଛାତ୍ରୀ ଓ କାମ କରୁଥିବା ଯେଉଁ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କୁ ମଧ୍ୟ ହୋମ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ କିପରି ନବ୍ୟାପେ , ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି ।

Leave A Reply

Your email address will not be published.