କଟକ : ଆଜି ରଙ୍ଗର ପର୍ବ ହୋଲି । ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହେବେ । ଘରେ ଘରେ ଜମିଛି ହୋଲିର ଆସର । ଏ ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ । ହୋଲି ଯୋଗୁ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଏହାକୁ ନେଇ ଅନେକ ପ୍ରକାରର କଟକଣା ଜାରି କରିଛନ୍ତି । ଖାସ୍ କରି ଟ୍ୱିନ୍ ସିଟି ( ଭୁବନେଶ୍ୱର ଓ କଟକ)ରେ କଟକଣାକୁ କଡ଼ାକଡି କରାଯାଇଛି ।
ହୋଲି ପର୍ବକୁ ଦୃଷ୍ଟିରେ ରଖି କଟକ ଡିସିପି କହିଛନ୍ତି ଯେ, ସହରରେ ହୋଲି କଟକଣାକୁ କଡ଼ାକଡ଼ି କରାଯାଇଛି । ହୋଲି ପାଇଁ ଆଜି ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ଗଳି କନ୍ଦିରେ ପାଟ୍ରୋଲିଂ କରିବ ବାଇକ ପିସିଆର। ବିଭିନ୍ନ ଛକମାନଙ୍କରେ ମୁତୟନ ହେବେ ପୋଲିସ ଫୋର୍ସ। ଏହା ସହିତ ସହରରେ ପଇଁତରା ମାରିବ ପିସିଆର ଭ୍ୟାନ। ତେବେ ରାଜରାସ୍ତାରେ ହୋଲି ଖେଳିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।