ପୋଖରାସାଲହେ: କୋଲାବିରା ବ୍ଲକ ପୋଖରାସାଲହେ ପଞ୍ଚାୟତ ଅଧିନସ୍ଥ ଯୋଗିଆଡିହି ଗ୍ରାମର ଯୁବ ଚାଷୀ ଅରୁଣ ପଟେଲ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସାଇବର ଠକ ମାନେ ଶ୍ରୀ ପଟେଲଙ୍କ ଏସ୍ବିଆଇ ଆକାଉଣ୍ଟରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଲୁଟି ନେଇଥିବା ସୂଚନା ମିଲିଛି ।
ଅଭିଯୋଗ ଅନୁଯାୟୀ, ତିନି ଦିନ ତଳେ ଅରୁଣଙ୍କ ନିକଟକୁ ଫୋନ ପେ ରୁ ଏକ କଲ୍ ଆସିଥିଲା ଓ ତାଙ୍କର ୩ ହଜାର ଟଙ୍କାର ଲଟେରି କୁପନ ଲାଗିଥିବା କୁହାଯାଇଥିଲା । ଅରୁଣଙ୍କ ବିଶ୍ୱାସ ଜନ୍ମେଇବା ପାଇଁ ରାହୁଲ ଶର୍ମା ନାମରେ ବିଏମ୍ ଥିବା ପେ ଫୋନର ଏକ ଆଇଡି କାର୍ଡ ମଧ୍ୟ ଅରୁଣଙ୍କ ହ୍ୱାଟ୍ସ୍ଅପ୍ ନମ୍ବରରେ ଆସିଥିଲା । ଫଲରେ ଅରୁଣ ନିଜେ ପେ ଫୋନ ବ୍ୟବହାର କରୁଥିବାରୁ ତାଙ୍କୁ ସବୁ ସତ ଲାଗିଥିଲା । ଶେଷରେ ଅରୁଣ ଉକ୍ତ କୁପନକୁ ନିଜ ମୋବାଇଲରେ ଇନ୍ଷ୍ଟଲ କରିଥିଲେ । ମାତ୍ର ଅରୁଣଙ୍କୁ କୌଣସି ଲଟେରି ଟଙ୍କା ମିଲିନଥିବା ବେଳେ ତାଙ୍କ ଏସ୍ବିଆଇ ଆକାଉଣ୍ଟରୁ ଦୁଇଟି ପଯ୍ୟାୟରେ ୪୯୯୯ ଟଙ୍କା ହିସାବରେ ମୋଟ ୯୯୯୮ ଟଙ୍କା କଟିଯାଇଥିଲା । ସାଇବର ଠକ ମାନେ ଗତକାଲି ଓ ଗୁରୁବାର ଆଉ ଦୁଇଥର ଟଙ୍କା କାଢିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ନେଇ ବ୍ୟାଙ୍କ ଷ୍ଟମେଣ୍ଟରୁ ଜଣାପଡିଛି । ଅରୁଣ ଠକେଇର ଶିକାର ହୋଇଥିବ ଜାଣିପାରି ପ୍ରଥମେ ସମାସିଂହା ଷ୍ଟେଟ ବ୍ୟାଙ୍କକୁ ଆସି ନିଜ ଆକାଉଣ୍ଟକୁ ଲକ୍ କରିଦେବା ସହ କୋଲାବିରା ଥାନାରେ ନିଜର ଅଭିଯୋଗ ଜଣାଇଛନ୍ତି । ଠକମାନଙ୍କୁ କାବୁ କରିବାରେ ପୁଲିସ ଆବଶ୍ୟକ ପଦକ୍ଷେପ ନେବାକୁ ଅରୁଣ ଦାବି ଜଣାଇଛନ୍ତି ।