ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧ ଲକ୍ଷ ଛୁଇଁବ

0

ମୁମ୍ବାଇ  : ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ୪୦ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାସହ ୧୫୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାମଧ୍ୟରେ କେନ୍ଦ୍ର ସରକାର ସଂକ୍ରମଣ ବୃଦ୍ଧି ପାଇଁ ଜନତାଙ୍କୁ ଦାୟୀ କରିଛନ୍ତି । ଲୋକେ ସଚେଚନ ନହୋଇ ସତର୍କ ନରହିବା କାରଣରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏପରିକି ବିବାହ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଇଂରାଜୀ ଖବର କାଗଜର ରିପୋର୍ଟ ଅନୁସାରେ, ନୀତି ଆୟୋଗର ସଦସ୍ୟ ଡାକ୍ତର ବିକେ ପାଲ୍ କହିଛନ୍ତି ଯେ, ଲୋକମାନେ ବେପାରୁଆ ହୋଇଗଲେଣି । ସତର୍କ ରହୁନାହାଁନ୍ତି । ଏବେବି ଅନେକ ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି । ସେମାନଙ୍କ ଉପରେ ସଂକ୍ରମଣ ବିପଦ ରହିଛି । ଗାଁରେ ମଧ୍ୟ କରୋନା ବ୍ୟାପିବାର ସମ୍ଭାବନା ରହିଛି । ସୁରକ୍ଷାକୁ ହେୟଜ୍ଞାନ କରାଯାଇ ପାରିବ ନାହିଁ । ଜନତା ସାମୁହିକ ସମାବେଶରୁ ଦୂରେଇ ରହିବା ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ସଂକ୍ରମଣ ହାର ରହୁଥିବା ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।କିଛି ବିଶେଷଜ୍ଞ ଦେଶ ଏବେ କରୋନାର ଦ୍ୱିତୀୟ ଲହରିରେ ରହିଥିବା କହିଛନ୍ତି । ଆଗାମୀ ସପ୍ତାହରେ ମାମଲା ଆହୁରି ବଢିପାରେ ।

ଜାତୀୟ କୋଭିଡ୍-୧୯ ଟାସ୍କ ଫୋର୍ସର ଅପରେସନ ରିସର୍ଚ୍ଚ ଗ୍ରୁପ ମୁଖ୍ୟ ଏନକେ ଆରୋରା କହିଛନ୍ତି ଯେ, ଯଦି ଆବଶ୍ୟକୀୟ ପଦକ୍ଷେପ ନ ନିଆଯାଏ ତେବେ ୬-୭ ସପ୍ତାହରେ ଦୈନିକ ୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେବେ । ସେହିପରି ପଞ୍ଜାବର ଜଣେ ଅଧିକାରୀ କହିଛନ୍ତି ଯେ, ଅତିକମରେ ୩୦ ସୁପର ସ୍ପ୍ରେଡର ମାମଲା ଠାବ ହୋଇଛି । ଯେଉଁଠି ଜଣଙ୍କ ପାଇଁ ୧୦ରୁ ଅଧିକ ପଜିଟିଭ୍ ହୋଇଛନ୍ତି । ଆହୁରି ମଧ୍ୟ ୭୦ରୁ ୮୦ ପ୍ରତିଶତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ନଥିବାରୁ ଚିନ୍ତା ବୃଦ୍ଧି ପାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.