ଡାକ୍ତରୀ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା

0

ନୂଆଦିଲ୍ଲୀ : ଡାକ୍ତରୀ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ଆର୍ଥିକ ଅନଗ୍ରସର ବର୍ଗ(EWS)ଙ୍କ ପାଇଁ ନୂଆ ଆରକ୍ଷଣ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଏଣିକି ଅନ୍ୟାନ୍ୟ ପଛୁଆ ବର୍ଗ (OBC)ଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ବର୍ଗ(EWS)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇଛି ।

ଏଥିରେ ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତରୀ ତଥା ଦନ୍ତ ଚିକିତ୍ସା ଯେପରିକି ଏମ୍‌ବିବିଏସ୍‌, ଏମ୍‌ଡି, ଏମ୍‌ଏସ୍‌, ଡିପ୍ଲୋପା, ବିଡିଏସ୍‌, ଏମ୍‌ଡିଏସ୍‌ ଅଧ୍ୟୟନ ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ ବା OBCଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଆର୍ଥିକ ଅନଗ୍ରସର ବର୍ଗ ବା EWSଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଅଲ ଇଣ୍ଡିଆ କୋଟା ସ୍କିମ୍‌ ଆଧାରରେ ଏହି ସୁବିଧା ଛାତ୍ରଛାତ୍ରୀମାନେ ପାଇପାରିବେ । ଏହି ସ୍କିମ୍‌ ୨୦୨୧-୨୨ ବର୍ଷରୁ ଲାଗୁ ହେବ ।

ନୂଆ ସଂରକ୍ଷଣ ନିୟମ ଲାଗୁକଲେ ଦେଶର ପ୍ରାୟ ୫୫୫୦ ଡାକ୍ତରୀ ଛାତ୍ରଛାତ୍ରୀ ଏଥି​‌ରେ ଉପକୃତ ହେବେ । ଏହି କ୍ରମରେ ପ୍ରତିବର୍ଷ ପ୍ରାୟ ୧୫ ଶହ ଓବିସି ଛାତ୍ରଛାତ୍ରୀ MBBS ଅଧ୍ୟୟନ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ପ୍ରାୟ ୨୫ଶହ ଓବିସି ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ସେହିଭଳି ୫୫୦ EWS ଛାତ୍ରଛାତ୍ରୀଙ୍କୁ ଏମ୍‌ବିବିଏସ୍‌ ଅଧ୍ୟୟନ ଏବଂ ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ରେ ପଢିବା ପାଇଁ ସୁଯୋଗ ମିଳିବ ।

ସୂଚନାଯୋଗ୍ୟ, ୨୦୦୭ ମସିହା ପର୍ଯ୍ୟନ୍ତ AIQ ଆଧାରରେ କୌଣସି କୋଟା ନଥିଲା । ତେବେ ୨୦୦୭ ମସିହାରେ ସୁପ୍ରିମକୋର୍ଟ SCକୁ ୧୫ ପ୍ରତିଶତ STକୁ ୭.୫ ପ୍ରତିଶତ ଆରକ୍ଷଣ ପାଇଁ ନିର୍ଦେଶ ଦେଇଥିଲେ । କେନ୍ଦ୍ରୀୟ ଶିକ୍ଷଣିକ ଅଧିନିୟମ ଲାଗୁ ହେବାପ​‌ରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଲାଭ ମିଳିବାକୁ ଲାଗିଲା । କିନ୍ତୁ ଏହା କେବଳ କେନ୍ଦ୍ରୀୟ ଶିକ୍ଷଣିକ ସଂସ୍ଥାନମାନଙ୍କରେ ଲାଗୁଥିଲା । ଏହାକୁ ଷ୍ଟେଟ୍‌ ମେଡିକାଲ ଏବଂ ଡେଣ୍ଟାଲ କଲେଜରେ ଲାଗୁ କରାଯାଇନଥିଲା । ଏବେ କିନ୍ତୁ ଓବିସି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ ।

Leave A Reply

Your email address will not be published.