ଧାନ ଚାଉଳ ଖାଇଗଲା ଗୋଠଛଡ଼ା ଦନ୍ତା

0

ତେଲକୋଇ : ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବ। ଦୋବଲାପାଳ ପଞ୍ଚାୟତର ବାଶଂପାଳ ଗାଁ ଜୁଆଙ୍ଗ ସାହିରେ ଗୋଠଛଡା ଦନ୍ତା ହାତୀ ଉପଦ୍ରବ କରୁଛି। ଗତକାଲି ରାତିରେ ସୁକୁମାରୀ ଜୁଆଙ୍ଗଙ୍କ ଘର ଭାଙ୍ଗି ୧୫ ବସ୍ତା ଧାନ ଓ ୨ ବସ୍ତା ଚାଉଳ ନଷ୍ଟ କରିଛି।

 

ଏହି ଗୋଠ ଛଡା ଦନ୍ତା ହାତୀ ଗତକାଲି ବିଳମ୍ବିତ ରାତିରେ ବାଶଂପାଳ ଗାଁରେ ପଶି ସୁକୁମାରୀ ଜୁଆଙ୍ଗଙ୍କ ଘର ଭାଙ୍ଗି ଦେଇଛି । ରାତି ପ୍ରାୟ ୩ଟା ସମୟରେ ସୁକୁମାରୀ ଜୁଆଙ୍ଗ ୪ ପିଲାଙ୍କ ସହିତ ଘରେ ଶୋଇଥିବା ବେଳେ ଦନ୍ତାହାତୀ ଘର ଭାଙ୍ଗି ଦେଇଥିଲା । ଫଳରେ ଭୟରେ ପିଲାଛୁଆଙ୍କୁ ଧରି ସୁକୁମାରୀ ପଡୋଶୀଙ୍କ ଘରକୁ ଲୁଚି ପଳାଇ ଥିଲେ । ସେପଟେ ଦନ୍ତା ଘରଭାଙ୍ଗି ୧୫ ବସ୍ତା ଧାନ ଖାଇବା ସହ ଦୁଇବସ୍ତା ଚାଉଳ ଟେକି ନେଇ ଚାଲି ଯାଇଥିଲା । ଗାଁରେ ଦନ୍ତାହାତୀ ପଶିବା ଦେଖି ଗ୍ରାମବାସୀ ବନବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ବନବିଭାଗ ଫୋନ ଉଠାଇ ନଥିବା ଅଭିଯୋଗ କରିଛନ୍ତି ସାହି ଲୋକେ । ତେବେ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.