ଧାର ଟଙ୍କା ମାଗିବାରୁ ଭୁଜାଲିରେ ଭୁଷି ହତ୍ୟା

0

ନୟାଗଡ : ମାତ୍ର ୧ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ। ନୟାଗଡ ଜିଲ୍ଲା ଇଟାମାଟି ଥାନା ଗଦାଧରପ୍ରସାଦରେ ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ଗୋବିନ୍ଦପୁର ଗାଁର ଗୋଲା ରାଉତଙ୍କ ପୁଅ ଲକ୍ଷ୍ମୀଧର ଗଦାଧରପ୍ରସାଦ ଗାଁର ରମେଶଙ୍କ ଭୁଜାଲିରେ ଭୁହି ହତ୍ୟା କରିଛି।

ସୂଚନାନୁଯାୟୀ, ଗୋବିନ୍ଦପୁର ଗାଁର ଗୋଲା ରାଉତ ଝିଅ ବାହାଘର ପାଇଁ ପ୍ରାୟ ଦେଢ ବର୍ଷ ତଳେ ଗଦାଧର ପ୍ରସାଦ ଗାଁର ରମେଶ ମୁଦୁଲିଙ୍କ ଠାରୁ ୧୫ ହଜାର ଟଙ୍କା ଧାର ନେଇଥିଲେ । ଠିକ୍ ସମୟରେ ଟଙ୍କା ଫେରସ୍ତ ନକରିବାରୁ ଗତ କିଛି ଦିନ ତଳେ ରମେଶ ଶୀଘ୍ର ଟଙ୍କା ଫେରାଇବା ପାଇଁ ଗୋଲାଙ୍କୁ କହିଥିଲେ । ସେହି ସମୟରେ ସୁଧ ସହ ୨୦ ହଜାର ଟଙ୍କା ଦେବେ ବୋଲି ଗୋଲା କହିଥିଲେ । ତେବେ ଗତକାଲି ରାତିରେ ଗୋଲା ୧୯ ହଜାର ଟଙ୍କା ରମେଶଙ୍କୁ ଫେରାଇବା ସମୟରେ ଆଉ ୧ ହଜାର ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୋଲା ପ୍ରଥମେ ରମେଶଙ୍କୁ ଠେଲି ଦେବାରୁ ସେ ତଳେ ପଡିଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରମେଶଙ୍କ ପୁଅ ମଧ୍ୟ ଗୋଲାଙ୍କୁ ମାରଧର କରିଥିଲେ । ତେବେ ପରେ ଉଭୟ ନିଜନିଜ ଘରକୁ ପଳାଇଯାଇଥିଲେ ।

କିଛି ସମୟ ପରେ ରାତି ପ୍ରାୟ ୧୧ଟା ସମୟରେ ରମେଶ ନିଜ ଘର ଦୁଆରେ ଛିଡା ହୋଇଥିବା ବେଳେ ଗୋଲା ରାଉତଙ୍କ ପୁଅ ଲକ୍ଷ୍ମୀଧର ହଠାତ୍ ଆସି ଏକ ଭୁଜାଲିରେ ରମେଶଙ୍କୁ ଭୁସିଦେଇ ପଳାଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକ ରମେଶଙ୍କୁ ନୟାଗଡ ମେଡିକାଲ୍କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବାବେଳେ ଇଟାମାଟି ପୋଲିସ ଗାଁରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ଅପରାଧୀକୁ ଧରିବାକୁ ପୋଲିସ ତନାଘନା ଚଳାଇଥିବା ଥାନା ଅଧିକାରୀ ସୂଚନା ଦେଇଛି ।

Leave A Reply

Your email address will not be published.