ଡବଲ ଡୋଜ୍ ନେବା ପରେ ବି ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ରହୁଛି ପ୍ରଭାବ

0

ନୂଆଦିଲ୍ଲୀ : ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ମୁମ୍ବାଇରେ ପ୍ରଥମ କରି ଜଣଙ୍କର ମୃତ୍ୟୁ ହୋଇଛି । ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅଧିକାରୀଙ୍କ ଅନୁଯାୟୀ, ଜୁଲାଇ ୨୭ ରେ ୬୩ ବର୍ଷ ବୟସ୍କା ମହିଳା କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଥାଉକି, ମୃତ ମହିଳା କରୋନା ଟିକାର ଉଭୟ ଡୋଜ‌ ନେଇଥିଲେ ।

ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା ବୋଲି ଅଧିକାରୀମାନେ କହିଛନ୍ତି । ତେବେ ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ । କରୋନାଭାଇରସରେ ସଂକ୍ରମିତ ହେବା ପୂର୍ବରୁ ସେ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି । ୬୩ବର୍ଷ ବୟସ୍କା ମହିଳା ଜୁଲାଇ ୨୧ରେ କୋଭିଡ -୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବିଏମସି ନିକଟରେ ତାଙ୍କ ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟ ପହଞ୍ଚିଥିଲା ।

ଯେଉଁଥିରେ ଦର୍ଶାଯାଇଥିଲା ଯେ, ସେ କୋଭିଡ୍ -୧୯ର ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ଥିଲେ । ମହିଳାଙ୍କ ସହ ତାଙ୍କ ପରିବାରର ୬ଜଣ ସଦସ୍ୟ ମଧ୍ୟ କୋଭିଡ -୧୯ରେ ସଂକ୍ରମିତ ହୋଇଥିଲେ । ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ୬ ଜଣଙ୍କ ମଧ୍ୟରୁ ୨ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏବେ ଅନ୍ୟ ୪ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି ।

Leave A Reply

Your email address will not be published.