ଇଂରେଜ ଅମଳର ଡାକବଙ୍ଗଳା,ରାତି ହେଲେ ଶୁଭୁଛି ଛାତିଥରା ଚିତ୍କାର !

0

ଭୁବନେଶ୍ବର: ଇଂରେଜ ଅମଳର ଡାକବଙ୍ଗଳା । ପୁରୁଣା କାନ୍ଥରୁ ପଲସ୍ତରା ଛାଡ଼ିଗଲାଣି । ପଥର ସନ୍ଧାରେ ଝିଟିପିଟି, ସାପ ବସା ବାନ୍ଧିଛନ୍ତି । ଦିନରେ କୋଠରୀ ଭିତରେ ଛାଇଛାଇଆ ଅନ୍ଧାର । ପୁରୁଣା କଡ଼ି ବରଗା ଛାତରେ ଅସଂଖ୍ୟ ଚେମେଣି ଓହଳିଛନ୍ତି । ସେମାନଙ୍କ ଅନୁନାଶିକ ରାବରେ ଭୟରେ ଦେହ ଶୀତେଇ ଯାଉଛି । ଆଉ ସନ୍ଧ୍ୟା ପରେ କଳା ଶିଉଳିରେ ଆଚ୍ଛନ୍ନ ଏହି କୋଠାଟି ଅନ୍ଧାର ଭିତରେ ଗାଏବ ହୋଇଯାଏ ।

ବୁଲା କୁକୁର କିଛି ଦୂର ବ୍ୟବଧାନରେ ଏକାଠି ହୋଇ ସେହି କୋଠା ଆଡ଼େ ମୁହଁ କରି ବିକଟାଳ ବୋବାଳି ଛାଡ଼ନ୍ତି । ସ୍ଥାନୀୟ ଲୋକେ ସେଠି ପାଦ ପକାନ୍ତି ନାହିଁ । କୁହନ୍ତି ସେଠି ଭୂତ ଅଛି । ଶୁନଶାନ ରାତିରେ କୋଉଠି କୋଠା ଛାତ ଉପରେ ବୁଲନ୍ତି । ବେଳେ ବେଳେ କୋଠରୀ ଭିତରୁ ଛାତିଥରା ଚିତ୍କାର ଶୁଭେ ।ପିଲାବେଳେ ଯାହା ଆଇ ମା’ଙ୍କ ଗପରେ ଶୁଣୁଥିଲେ, ଠିକ୍‌ ସେମିତି ଏକ ଡାକବଙ୍ଗଳା ରାଜଧାନୀର ପୁରୁଣା ଭୁବନେଶ୍ୱର ମହତାବ ରୋଡ଼ ଅଞ୍ଚଳରେ ଏବେ ବି ବିଦ୍ୟମାନ । ଅବହେଳିତ, ଜରାଜୀର୍ଣ୍ଣ ହୋଇ ପଡ଼ିରହିଥିବା ଏହି ଡାକବଙ୍ଗଳା ତାହାର ଅତୀତକୁ ବଖାଣୁଛି । କାଳକ୍ରମେ ଏହି ଡାକବଙ୍ଗଳା ଜନମାନସରେ ଭୂତକୋଠିର ଆଖ୍ୟା ପାଇଛି ।

ଡାକବଙ୍ଗଳାର ଇତିହାସ ସମ୍ପୂର୍ଣ୍ଣ ନହେଲେ ବି ଏହା ୧୮୫୦ ମସିହାରେ ବ୍ରିଟିଶମାନେ ନିର୍ମାଣ କରିଥିଲେ । ସେ କାଳରେ ଲୋକଙ୍କ ଡାକ ବ୍ୟବସ୍ଥା ପାଇଁ ବ୍ରିଟିଶ ସରକାର ଇମ୍ପେରିଆଲ ମେଲ୍‌ ସର୍ଭିସ ଆରମ୍ଭ କରିଥିଲେ । ସ୍ଥାନୀୟ ଅଞ୍ଚଳର ଡାକ ବ୍ୟବସ୍ଥା ପରିଚାଳନାର ଏହା ମୁଖ୍ୟ ଦପ୍ତର ଥିଲା । ଏହା ବ୍ୟତୀତ କୋଠାଟି ଅଦାଲତ ଗୃହ ଭାବେ କାର୍ଯ୍ୟ କରୁଥିଲା । ବ୍ରିଟିଶ ସୂର୍ଯ୍ୟାସ୍ତ ଆଇନ୍‌ ଅନୁଯାୟୀ ଖଜଣା ଦେଇ ପାରୁନଥିବା ଲୋକଙ୍କ ସମ୍ପତ୍ତି ଏହିଠାରେ ନିଲାମ କରାଯାଉଥିଲା । ଏହା ମଧ୍ୟ ୧୮୪୦ରୁ ୧୮୭୦ ମଧ୍ୟରେ ଅନୁଷ୍ଠିତ ଗ୍ରେଟ୍‌ ଇଣ୍ଡିଆନ୍‌ ଟ୍ରାଇଗୋନେଟ୍ରିକ୍‌ ସର୍ଭେର ସର୍ବେକ୍ଷଣକାରୀଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା ।

ପରେ ଏହାକୁ ଜମିଜମା ବନ୍ଦୋବସ୍ତ ଅଫିସ ଭାବେ ରୂପାନ୍ତରିତ କରାଯାଇଥିଲା । ରେଳ ଚଳାଚଳ କରୁଥିବା ବେଳେ ବଙ୍ଗଳା ନାଗପୁର ରେଳ ଅଧିକାରୀମାନେ ମଧ୍ୟ ଏଠାରେ ବିଶ୍ରାମ ନେଉଥିଲେ ବୋଲି କିଛି ଐତିହାସିକଙ୍କ ମତ । ଅନେକ କୋଠରୀ ବିଶିଷ୍ଟ ଏହି ବଙ୍ଗଳା ଭିତରେ ରହିଛି ଅଧାଭଙ୍ଗା କୂଅ, ଅଧାଭଙ୍ଗା ରୋଷେଇ ଓ ଚୌକିଦାର ଘର । ବଙ୍ଗଳା ଭିତରେ ଥିବା ଅତି ପୁରୁଣା ତେନ୍ତୁଳି ଗଛ ଇତିହାସର ମୂକସାକ୍ଷୀ ଭାବେ ଛିଡା ହୋଇଛି । ୧୮୯୯ ମସିହାରେ ଲର୍ଡ କର୍ଜନଙ୍କ ଗସ୍ତ ସମୟରେ ଡାକ ବଙ୍ଗଳାକୁ ନବୀକରଣ କରାଯାଇଥିଲା । ଡାକ ବଙ୍ଗଳାକୁ ନେଇ ଏହି ଛକର ନାମକରଣ କରାଯାଇଛି ।

ବଙ୍ଗଳା ନିକଟରେ ହୋଟେଲ କରିଥିବା ପ୍ରଫୁଲ୍ଲ ସ୍ୱାଇଁ କୁହନ୍ତି, ଡାକବଙ୍ଗଳା ଆଉ କିଛି ଦିନ ଏମିତି ରହିଲେ ମାଟିରେ ମିଶିଯିବ । ତା’ପୂର୍ବରୁ ଏହାର ରକ୍ଷଣାବେକ୍ଷଣ ଆବଶ୍ୟକତା ରହିଛି । ଡାକବଙ୍ଗଳାକୁ ମ୍ୟୁଜିୟମ୍‌ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି । ତା’ସହିତ ଏହି ବଙ୍ଗଳାକୁ ନେଇ ଅନେକ ଭୌତିକ କାହାଣୀ ବି ଯୋଡ଼ି ହୋଇରହିଛି । କୂଅ ପାଖରେ ଅଶରୀରିଙ୍କ ଆତଯାତ ହୁଏ ବୋଲି ଲୋକେ କହୁଛନ୍ତି । ଇନ୍‌ଟାକ୍‌ ସଂସ୍ଥା ୨ ବର୍ଷ ତଳେ ଏହି ସ୍ଥାନ ଯାଞ୍ଚ କରିଥିଲେ । ବଙ୍ଗଳାରେ ଥିବା କୋଠରୀର ମୋଟା କାନ୍ଥ ଓ ଛାତର କାଠ ବିମ୍‌ଗୁଡ଼ିକ ଏଯାଏ ବି ଖରାପ ହୋଇନାହିଁ । ଯଦି ସରକାର ବଙ୍ଗଳା ଉପରେ କୃପା ଦୃଷ୍ଟି ପକାଇବେ କୋଠାଟି ସଂରକ୍ଷିତ ହୋଇପାରିବ ବୋଲି ଇନ୍‌ଟାକ୍‌ର ଅନୀଲ୍‌ ଧୀର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.