ଫେସ୍‌ବୁକ୍ରେ‌ ୬୧ ଲକ୍ଷ ଭାରତୀୟ ୟୁଜର୍‌ଙ୍କ ତଥ୍ୟ ଚୋରି

0

ନ୍ୟୁୟର୍କ : ବିଶ୍ୱର ସର୍ବାଧିକ ବ୍ୟବହାରକାରୀ ସୋସିଆଲ ନେଟ୍‌ୱର୍କିଙ୍ଗ ସାଇଟ୍‌ ଫେସ୍‌ବୁକ୍‌ ପୁଣି ବିବାଦରେ । ଏହାର ୫୦ କୋଟିରୁ ଅଧିକ ୟୁଜରଙ୍କ ଡାଟା ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ୬୧ ଲକ୍ଷ ଭାରତୀୟ ୟୁଜର ରହିଛନ୍ତି । ହ୍ୟାକରଙ୍କ ଏକ ୱେବ୍‌ସାଇଟରେ ଏହା ରହିଛି । ଏଥିରେ ୟୁଜରଙ୍କ ଫୋନ ନମ୍ୱର, ଠିକଣା, ଜନ୍ମ ତାରିଖ, ପୂରା ନାମ, ଇମେଲ୍‌ ଆଇଡି ଆଦି ତଥ୍ୟ ରହିଥିବା ଜଣାପଡ଼ିଛି ।

ଯଦିଓ ଏହି ତଥ୍ୟଗୁଡ଼ିକ କେଇବର୍ଷ ପୁରୁଣା ବୋଲି କୁହାଯାଉଛି, ତଥାପି ଫେସ୍‌ବୁକ୍‌ ଅଥବା ଅନ୍ୟ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଆଦୌ ସୁରକ୍ଷିତ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ସୋସିଆଲ୍‌ ମିଡିଆଗୁଡ଼ିକ ସେମାନଙ୍କ ଉପଭୋକ୍ତାଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରୁଥିବା କଥା କହୁଥିବା ବେଳେ ହ୍ୟାକର୍‌ମାନେ କିନ୍ତୁ ସେମାନଙ୍କ କାରସାଦିକୁ ବାସ୍ତବରେ ପରିଣତ କରିବାରେ ଲାଗିଛନ୍ତି । ହ୍ୟାକରମାନେ ଫେସ୍‌ବୁକ୍‌ ୟୁଜରଙ୍କ ତଥ୍ୟ ସେମାନଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ କରିଥିବା ବିଜ୍‌ନେସ୍‌ ଇନ୍‌ସାଇଡର୍‌ ପକ୍ଷରୁ କୁହାଯାଇଛି ।

ବିଜ୍‌ନେସ୍‌ ଇନ୍‌ସାଇଡର୍‌ ଦାବି କରିଛି ଯେ ହ୍ୟାକର୍‌ମାନେ ୧୦୬ଟି ରାଷ୍ଟ୍ରର ଲୋକଙ୍କ ଫୋନ ନମ୍ୱର, ଫେସ୍‌ବୁକ୍‌ ଆଇଡି, ପୂରା ନାମ, ସ୍ଥାନ, ଜନ୍ମତିଥି ଓ ଇମେଲ୍‌ ଆଇଡି ହାସଲ କରିନେଇଛନ୍ତି । ଏହାକୁ ସେମାନେ ନିଜ ୱେବ୍‌ସାଇଟ୍‌ରେ ଉପଲବ୍ଧ କରିଛନ୍ତି । ଏହାଦ୍ୱାରା ୟୁଜର୍‌ଙ୍କର ବିଶେଷ କ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଉଲ୍ଲେଖଯୋଗ୍ୟ, ୟୁଜର୍‌ଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପ୍ରସଙ୍ଗରେ ଫେସ୍‌ବୁକ୍‌ ଉପରେ ଅନେକ ଦିନ ଧରି ପ୍ରଶ୍ନ ଉଠିଆସିଛି । ଏହି ସୋସିଆଲ ମିଡିଆ କମ୍ପାନି ୨୦୧୮ରେ ଫୋନ ନମ୍ୱର ଜରିଆରେ ୟୁଜରଙ୍କ ଆକାଉଣ୍ଟ ଖୋଜିବା ସୁବିଧା ବନ୍ଦ କରିଦେଇଥିଲା । ଏହାପରେ ରାଜନୈତିକ ସଂସ୍ଥା କେମ୍ୱ୍ରିଜ ଆନାଲିଟିକା ବିନା ଅନୁମତି ବା ସହମତିରେ ୮.୭ କୋଟି ଫେସ୍‌ବୁକ୍‌ ୟୁଜରଙ୍କ ତଥ୍ୟ ହାସଲ କରିନେଇଥିଲା । ଏହା ଫେସ୍‌ବୁକ୍‌କୁ ବିବାଦ ଘେରକୁ ଟାଣିଥିଲା ।

Leave A Reply

Your email address will not be published.