ମୁମ୍ବାଇ : ମହାରାଷ୍ଟ୍ର ନବୀ ମୁମ୍ବାଇ ଅଞ୍ଚଳରେ ଦୁଇ ଭଉଣୀଙ୍କ ଗଳିତ ମୃତଦେହ ତାଙ୍କରି ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପଡୋଶୀଙ୍କ ଦୁଇ ଭଉଣୀଙ୍କ ଘରୁ ପଚା ଗନ୍ଧ ଆସୁଥିବା ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ।
୩୩ ବର୍ଷ ବୟସ୍କ ଲକ୍ଷ୍ମୀ ପଂଠାରି ଓ ତାଙ୍କର ୨୬ ବର୍ଷୀୟ ଭଉଣୀ ସ୍ନେହା ପଂଠାରି ଏକାସଙ୍ଗେ ଏହି ଫ୍ଲାଟରେ ରହୁଥିଲେ। ରବାଲେ ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚି ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲା। ଘର ଭିତରେ ଦୁଇ ଭଉଣୀଙ୍କ ଶବ ଝୁଲୁଥିଲା। ଦୁଇ ଭଉଣୀ ଫସି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।
ପୋଲିସ ମାମଲା ରୁଜ୍ଜୁ କରିଛି। ଅଧିକାରୀ କହିଛନ୍ତି, ଦୁଇ ଯୁବତୀ ଘରେ ପିଲାଙ୍କୁ ପ୍ରାଇଭେଟ ଟିଉସନ ପଢାଉଥିଲେ। ଦୁହେଁ ପଡୋଶୀଙ୍କ ସହ ମଧ୍ୟ ବେଶୀ କଥାବାର୍ତ୍ତା କରୁନଥିଲେ। କିଛି କାମ ଥିଲେ କିମ୍ବା କୌଣସି ଅବସରରେ ସେମାନେ ପଡୋଶୀଙ୍କୁ ଦେଖା କରୁଥିଲେ।
ପୋଲିସ କହିଛି ଯେ କିଛି ବର୍ଷ ପୂର୍ବରୁ ଦୁଇ ଭଉଣୀ ନିଜ ପିତାଙ୍କୁ ହରାଇଥିଲେ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ। ଉଭୟଙ୍କୁ ଶେଷଥର ପାଇଁ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା। ମାମଲାରେ ପୋଲିସ ଯାଞ୍ଚ ଜାରି ରଖିଛି।