ଗାଡ଼ି ଉପରେ ନଜର ରଖିବ ସିସି କ୍ୟାମେରା

0

କଟକ: ରାସ୍ତା ଉପରେ ଅତି ଦ୍ରୁତ ଗତିରେ ଯାଉଥିବା ଗାଡ଼ି, ପରମିଟ୍‌ ଉଲ୍ଲଂଘନ କରୁଥିବା, ପରିବହନ ନିୟମ ଭାଙ୍ଗୁଥିବା ଗାଡ଼ି ଏବେ ଆଉ ଖସିପାରିବେ ନାହିଁ । ଏଭଳି ଗାଡ଼ି ଉପରେ ନଜର ରଖି ସିସି କ୍ୟାମେରା । ସେମାନଙ୍କ ତ୍ରୁଟି ସମ୍ପର୍କରେ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବ । କଣ୍ଟ୍ରୋଲ ରୁମ୍‌ ସମ୍ପୃକ୍ତ ଗାଡି ଚାଳକଙ୍କ ଉପରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ‘ଦିଶା’(ଡେଭଲପ୍‌ଙ୍ଗି ଇଲୋକ୍ଟ୍ରୋନିକ୍‌ ଏନ୍‌ଫୋର୍ସମେଣ୍ଟ ଟୁ ସେଭ୍‌ ହ୍ୟୁମ୍ୟାନ୍‌ ଲାଇଫ୍‌) ଯୋଜନାରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି । ପାଇଲଟ୍‌ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲା ରାମେଶ୍ୱରରୁ ଛତିଆ ମଧ୍ୟରେ ଏହି କ୍ୟାମେରା ଲାଗିବ । ଏଥିସହ ରାଜ୍ୟ ତିନି ପ୍ରମୁଖ ଚେକ୍‌ ଗେଟ୍‌ରେ ମଧ୍ୟ ସିସି କ୍ୟାମେରା ଲଗାଯିବ । ପରେ ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ତଥା ଦୁର୍ଘଟଣାପ୍ରବଣ ରାସ୍ତାରେ ମଧ୍ୟ ଜିଲ୍ଲାପାଳମାନେ ରାଜ୍ୟ ଖଣି ପାଣ୍ଠି ହେଉ କିମ୍ବା କର୍ପୋରେଟ୍‌-ସୋସିଆଲ୍‌ ଫଣ୍ଡ ସହାୟତାରେ ଏହି କ୍ୟାମେରା ଲଗାଇବା ପାଇଁ ପଦକ୍ଷେପ ନେବାକୁ ପରିବହନ ବିଭାଗ ସଚିବ ମଧୁସୂଦନ ପାଢୀ ନିର୍ଦ୍ଦେଶ ଦେଇଛନ୍ତି ।
ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପୁଲିସ୍‌ ହେଉ ଅବା ପରିବହନ ବିଭାଗ ପକ୍ଷେ ସହଜ ହେଉନାହିଁ । ତେଣୁ ଜାତୀୟ ରାଜପଥରେ ସିସି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ଗଞ୍ଜାମର ରାମେଶ୍ୱରରୁ ଛତିଆ ମଧ୍ୟରେ ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଏହି ସିସି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଯେଉଁମାନେ ଭୁଲ୍‌ ରାସ୍ତାରେ ଗାଡି ଚଲାଉଥିବେ, ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡି ଚଲାଉଥିବେ, ଦୁଇ ଚକିଆ ଯାନରେ ତିନିଜଣ ଯାଉଥିବେ ଓ ଅନ୍ୟାନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଳଂଘନ କରୁଥିବେ ସେମାନଙ୍କୁ ଏହି ସିସି କ୍ୟାମେରା ଧରିବ । କିନ୍ତୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯଦି କୌଣସି ଗାଡି ପରମିଟ୍‌ ବାହାରେ ଚାଲୁଥିବ ଏବଂ ଚୋରା ଗାଡି ଯାତାୟତ କରୁଥିବ ସେମାନଙ୍କୁ ଏହି ସିସି କ୍ୟାମେରାରେ ଧରିବା ସହଜ ହେବ ।
ଏହି ଯୋଜନା ଆରମ୍ଭ ହେବାପରେ ସୁନ୍ଦରଗଡ ଜିଲ୍ଲାପାଳ ତାଙ୍କ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପରିବହନ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ । ଜିଲ୍ଲା ଖଣି ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଚିଠି ଉପରେ ଉତ୍ତର ରଖି ପରିବହନ ସଚିବ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଯେଉଁ ସଂସ୍ଥାକୁ ଏହି କ୍ୟାମେରା ଲଗାଇବା ପାଇଁ ଟେଣ୍ଡରରେ ସେ ଫାଇନାଲ୍‌ କରିବେ ଉକ୍ତ ସଂସ୍ଥା ସହ ଦୁଇ ବର୍ଷିଆ ଚୁକ୍ତି କରିବେ । ଉକ୍ତ ସଂସ୍ଥା ରାଜ୍ୟର ଯେ କୌଣସି ଜିଲ୍ଲାରେ ମଧ୍ୟ ଉକ୍ତ ଚୁକ୍ତି ଅନୁଯାୟୀ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.