ଗନ୍ଧମାର୍ଦ୍ଦନ ପାହାଡ ତଳି ଅଞ୍ଚଳରେ ମାତିଛନ୍ତି ହାତୀପଲ

0

ପାଟଣାଗଡ,: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜର ଗନ୍ଧମାର୍ଦ୍ଦନ ପାହାଡ ତଳି ଅଞ୍ଚଳରେ ମାତିଛନ୍ତି ହାତୀପଲ ।ଶନିବାର ବିଳମ୍ବିତ ରାତିରେ ତିନୋଟି ଗାଁରେ ୩ଟି ଘର ଭାଙ୍ଗିଥିବା ଦେଖିବାକୁ ମିଲିଛି । ଘରରେ ଥିବା ଲୋକେ ଅଳ୍ପକେ ବର୍ତି ଯାଇଥିବା ବେଳେ ସମସ୍ତ ଧାନ ଚାଉଳ ହାତୀମାନେ ଖାଇଦେଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ବିଳମ୍ବିତ ରାତିରେ ଏକ ହାତୀ ପଲ ପ୍ରଥମେ ବ୍ରାହ୍ମଣୀ ଗାଁରେ ଥିବା ଏକ ଘରକୁ ଭାଙ୍ଗି ଦେଇଥିଲେ।  ଏହାପରେ ସେମାନେ ଗାଁର ମୀନିକେତନ ସିପକା ଏବଂ ତାଙ୍କ ସ୍ତ୍ରୀ ମଦନା ସିପକାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲେ । ସେମାନେ ଭୟରେ ଖଟ ତଳେ ଲୁଚି ଯାଇଥିଲେ । ହାତୀମାନେ ଧାନ ଚାଉଳ ଖାଇ ଚାଲିଯାଇଥିଲେ ।

ପରେ ନାନ୍ଦୁପଲା ପଂଚାୟତ ଛଂଚାଣ ବାହାଲି ଗାଁର ଲଳିତ ବରିହାଙ୍କ ଘରକୁ ଆସି ଗୋଟିଏ କାନ୍ଥ ଭାଙ୍ଗି ଘରେ ଥିବା ୨ ବସ୍ତା ଧାନ ଓ ଚାଉଳ ଖାଇଦେଇଥିଲେ । ସେଠାରେ ମଧ୍ୟ ଲଳିତ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତି ଯାଇଥିଲେ । ଏହା ପରେ ଗନ୍ଧମାର୍ଦ୍ଦନ ପାହାଡ ତଳି ଅଂଚଳରେ ହାତୀ ଭୟ ଦେଖାଦେଇଥିବା ବେଳେ ଜଙ୍ଗଲ ବିଭାଗ ପହଂଚି କ୍ଷୟକ୍ଷତି ଆକଳନ କରିଛି ।

ଏ ନେଇ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୩ଟି ଗାଁରେ ହାତୀ କିଛି ଘର ଭାଙ୍ଗି ଦେଇଛନ୍ତି । ହାତୀର ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.