ସମ୍ବଲପୁର : କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଫେରାର ହେବାପାଇଁ ସମ୍ବଲପୁରରୁ ଯୋଜନା ପ୍ରସ୍ତୁତ କରିଥିଲା। ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ହାତକରି ଜେଲ୍ରୁ ଭିମସାର୍, ଭିମସାର୍ରୁ ଏସ୍ସିବି ଯାଇ ସେଠାରୁ ଖସିଯାଇଛି। ତାର ଏହି ଯୋଜନାକୁ ସଫଳ କରାଇବାରେ ଜାଣତରେ ହେଉ ବା ଅଜାଣତରେ ସମ୍ବଲପୁରର ତିନିତିନିଟି ବିଭାଗର ଭୂମିକା ରହିଥିବା ଆଲୋଚନା ହେଉଛି। ଏହି ତିନି ବିଭାଗର ଅଧିକାରୀ ଓ କର୍ମଚାରୀ ସନ୍ଦେହ ଘେରକୁ ଆସିଛନ୍ତି। ପ୍ରଥମ ହେଲା ଜେଲ୍, ଦ୍ବିତୀୟରେ ଭିମସାର୍ ଓ ତୃତୀୟରେ ପୁଲିସ୍। ସମ୍ବଲପୁର ମଣ୍ଡଳ କାରାଗାରରେ ସଜା କାଟୁଥିବା ହାଇଦର୍କୁ ଏକାଧିକ ବାର ସ୍ବାସ୍ଥ୍ୟଗତ କାରଣରୁ ବୁର୍ଲା ବଡ଼ ମେଡିକାଲ୍କୁ ଚିକିତ୍ସା ପାଇଁ ପଠା ଯାଉଥିଲା। ଡାକ୍ତରଖାନାରୁ ସୁରକ୍ଷାକର୍ମୀକୁ ବେହୋସ୍ କରି ଫେରାର୍ ହେବାର କ୍ଷମତା ରଖୁଥିବା ଜଣେ ଅପରାଧୀର ସ୍ବାସ୍ଥ୍ୟ ପ୍ରକୃତରେ ସେତେ ଖରାପ ଥିଲା ନା ସମ୍ବଲପୁର ମଣ୍ଡଳ କାରାଗାର କର୍ତ୍ତୃପକ୍ଷ ତା ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିଲେ ତାହା ତଦନ୍ତ ସାପେକ୍ଷ। ସମ୍ବଲପୁର ମଣ୍ଡଳ କାରାଗାରରୁ ହାଇଦର୍କୁ ଭିମସାର୍ ପଠାଗଲା ବେଳେ ଜେଲ୍ ଅଧୀକ୍ଷକଙ୍କ ଅତିରିକ୍ତ ଦାୟିତ୍ବରେ ଥିବା ଜେଲ୍ ଡିଆଇଜି ରାଜକୁମାର ସାହୁ ତାକୁ କଣ ହୋଇଥିଲା ବା କେଉଁ ପରିପ୍ରେକ୍ଷୀରେ ଡାକ୍ତରଖାନା ପଠା ଯାଇଥିଲା ସେ ସଂପର୍କରେ କିଛି କହିବାକୁ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ନୂଆ କରି ମଣ୍ଡଳ କାରାଗାରର ଅଧୀକ୍ଷକ ଦାୟିତ୍ବ ନେଇଥିବା ମନୋରଂଜନ ପ୍ରତିହାରୀ ଫୋନ୍ର ଉତ୍ତର ଦେଉ ନଥିବା ବେଳେ ସଂଧ୍ୟାରୁ ଜେଲର୍ ଆଲୋକ କରଙ୍କ ମୋବାଇଲ୍ ବନ୍ଦ ରହିଛି।
ତେବେ ତାଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୁର୍ଲା ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଭୂମିକା। ଆଶ୍ଚର୍ଯ୍ୟର କଥା ହାଇଦର୍ କେବେ ଆସିଥିଲା, କଣ ପାଇଁ ଆସିଥିଲା, ତାକୁ କିଏ ରେଫର୍ କରିଥିଲା ତାର କୌଣସି ତଥ୍ୟ ଭିମସାର୍ କର୍ତ୍ତୃପକ୍ଷ ଦେଇପାରୁ ନାହାନ୍ତି। ହାଇଦର ବୁର୍ଲାରେ ଚିକିତ୍ସିତ ହେବା ସଂପର୍କରେ ସେ ଆଦୌ ଅବଗତ ନଥିଲେ ଓ ଆଜି ଗଣମାଧ୍ୟମରୁ ଯାହା ଜାଣୁଛନ୍ତି ବୋଲି ଭିମସାର୍ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି। ସମାନ ଢଙ୍ଗରେ ହାଇଦର୍ କେବେ କେଉଁ ୱାର୍ଡରେ ଚିକିତ୍ସିତ ହୋଇଥିଲା ଓ କେଉଁ କାରଣରୁ କଟକ ରେଫର୍ କରା ଯାଇଥିଲା ସେ ସଂପର୍କରେ ଭିମସାର୍ ଅଧୀକ୍ଷକ ପ୍ରଫେସର ଲାଲ୍ ମୋହନ ନାୟକ କିଛି ସୂଚନା ଦେଇପାରି ନାହାନ୍ତି। ସେହିପରି ହାଇଦରକୁ ଏକ ମାମୁଲି ଅସ୍ତ୍ରୋପଚାର ପାଇଁ କଟକ ପଠା ଯାଇଥିବା ଏସ୍ସିବି ବଡ଼ ମେଡିକାଲ୍ରୁ ସୂଚନା ମିଳୁଥିଲେ ବି ଭିମ୍ସାର୍ ସର୍ଜରି ୱାର୍ଡରେ ସେ ଭର୍ତ୍ତି ହୋଇଥିବା ବା ସେଠାରୁ ରେଫର୍ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ ବୋଲି ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର୍ ବ୍ରଜମୋହନ ମିଶ୍ର କହିଛନ୍ତି। ସେ କାଜୁଆଲ୍ଟିରୁ ସିଧାସଳଖ ରେଫର୍ ହୋଇଥାଇ ପାରେ ବୋଲି ପ୍ରଫେସର ମିଶ୍ର କହିଛନ୍ତି। ତେବେ ମାର୍ଚ୍ଚ ୨୫ରୁ ଏପ୍ରିଲ୍ ୫ ମଧ୍ୟରେ କାଜୁଆଲ୍ଟିରେ ଏଭଳି କୌଣସି ରୋଗୀର ରେକର୍ଡ ନଥିବା ଅଧୀକ୍ଷକ ପ୍ରଫେସର ନାୟକ କହୁଛନ୍ତି। ହାଇଦର୍ର ପୂର୍ବରୁ ହୃଦ୍ରୋଗ ସମସ୍ୟା ଥିଲେ ବି ସେ ତାଙ୍କ ବିଭାଗରେ ଭର୍ତ୍ତି ହୋଇ ନଥିବା ହୃଦ୍ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ ଶର୍ମା କହିଛନ୍ତି। ରବିବାର ଡାକ୍ତରଖାନାର ସବୁ କାଗଜପତ୍ର ଯାଞ୍ଚ କଲା ପରେ ଯାଇ ସେ କେଉଁ ବିଭାଗରେ ଭର୍ତ୍ତି ହୋଇଥିଲା ଓ କେଉଁ ଚିକିତ୍ସା ପାଇଁ ରେଫର୍ କରାଗଲା ତାହା ସ୍ପଷ୍ଟ ହୋଇପାରିବ ବୋଲି ଭିମସାର୍ କର୍ତ୍ତୃପକ୍ଷ କହୁଛନ୍ତି।
ହାଇଦର୍ ଭଳି କୁଖ୍ୟାତ ଅପରାଧୀକୁ ମାତ୍ର ୫ ଜଣ କନ୍ଷ୍ଟେବଳଙ୍କ ସୁରକ୍ଷା ବଳୟରେ କଟକ ପଠା ଯାଇଥିଲା। ସେମାନଙ୍କ ସହ ଜଣେ ଜେଲ୍ ୱାର୍ଡର୍ ଥିଲେ। ତେବେ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ଯାକ ସୁରକ୍ଷା କର୍ମୀ ଏକାସାଂଗରେ ହାଇଦର୍କୁ ଜଗୁ ନଥିଲେ। ସେମାନେ ୩ଟି ସିଫ୍ଟରେ ପାଳି କରି ଜଗୁଥିଲେ। ଦିନ ସିଫ୍ଟରେ ଜଣେ ଲେଖାଏଁ ଓ ରାତି ସିଫ୍ଟରେ ୨ ଜଣ ହାଇଦର୍ ଭଳି କୁଖ୍ୟାତ ଅପରାଧୀକୁ ଜଗିବା ପାଇଁ ନିୟୋଜିତ ହୋଇଥିଲେ। ତେଣୁ ଶନିବାର ଦିନବେଳ ଜଣେ ସୁରକ୍ଷାକର୍ମୀକୁ ସହଜରେ ଅଚେତ କରି ହାଇଦର୍ ଫେରାର୍ ମାରିଥିଲା। ସମ୍ବଲପୁର ପୁଲିସ୍ ହାଇଦର୍ ପାଇଁ ଏତେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା କରିବାର ସାହସ କେମିତି କଲା? ଏସଂପର୍କରେ ସମ୍ବଲପୁର ଏସ୍ପି ବି ଗଂଗାଧରଙ୍କୁ ଏକାଧିକ ବାର ଯୋଗାଯୋଗ କରାଯାଇଥିଲେ ବି ସେ ବ୍ୟସ୍ତ ଅଛି କହି ଫୋନ୍ କାଟି ଦେଉଛନ୍ତି।