ଗଞ୍ଜାମ ଜିଲ୍ଲା କଳା, ସାହିତ୍ୟ, ସ˚ସ୍କୃତିର ଗନ୍ତାଘର

0

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ହେଉଛି କଳା, ସାହିତ୍ୟ, ସ˚ସ୍କୃତିର ଗନ୍ତାଘର। ଗଞ୍ଜାମ ଜିଲ୍ଲାରେ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଛି ‘ଦଣ୍ତଯାତ୍ରା’। ନିଜ ଶରୀରକୁ କଷ୍ଟ ଦେଇ ଈଶ୍ବର ପ୍ରାପ୍ତି ପାଇଁ ଆରାଧନାକୁ ‘ହଟଯୋଗ’ ହୋଇଥାଏ ଆଉ ଏହା ହିଁ ଦଣ୍ତଯାତ୍ରା ବୋଲି କୁହାଯାଏ । ମା’ଦଣ୍ତକାଳୀଙ୍କୁ ଅତି ନିଷ୍ଠାର ସହ ଆରାଧନା କରିବାର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସୁଛି । ଏଥିପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ବିଧି ରହିଛି। ତେବେ ତୁଳନାତ୍ମକ ଭାବେ ବିଗତ କିଛି ବର୍ଷ ମଧ୍ୟରେ ଦଣ୍ତନାଟରେ ଆଧୁନିକତାର ଛାପ ଦେଖିବାକୁ ମିଳିଛି। ଏନେଇ ବ୍ୟବସାୟୀକରଣ ‘ଦଣ୍ତନାଟ’ମଧ୍ୟ ହେଉଛି। କାଁଭାଁ ରାମାୟଣ, ଚଢ଼େୟାଚଢ଼େୟାଣୀ ନୃତ୍ୟ ଭଳି ଲୋକକଳା ଏବ˚ ପୌରାଣିକ ନାଟକ ପରିବେଷିତ ହେଉଛି। ଝଲ୍ମଲ୍ ଆଲୁଅ ଓ ରେକର୍ଡ଼ ଡ୍ୟାନସ୍ରେ ଦୁଲୁକି ଉଠୁଛି ମଞ୍ଚ। ଗଞ୍ଜାମ ଜିଲ୍ଳାରେ ୫ଶହରୁ ଅଧିକ ଦଣ୍ତଦଳ ବର୍ତ୍ତମାନ ରହିଛି।

ଆଜି ବି ଅନେକ ଅଞ୍ଚଳରେ ଦଣ୍ତଯାତ୍ରା ପରମ୍ପରା, ସ˚ସ୍କୃତି ଓ ନିଷ୍ଠା ଆରାଧନାର ନିଦର୍ଶନକୁ ବଞ୍ଚାଇ ରଖିବାରେ ସମର୍ଥ ହୋଇଛନ୍ତି। ଗତବର୍ଷ କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଦଣ୍ଡଯାତ୍ରା ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି ରଖିଥିଲା। କିନ୍ତୁ ଚଳିତବର୍ଷ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ କୋଭିଡ ଗାଇଡଲାଇନ୍ ଭିତରେ ଦଣ୍ଡଯାତ୍ରା ଆୟୋଜନ ପାଇଁ ପ୍ରଶାସନ ସବୁଜ ସଂକେତ ଦେଇଛି ଫଳରେ ଗ୍ରାମାଞ୍ଚଳରେ ଖୁସିର ଲହରି ଖେଳିଯାଇଛି।

ଦଣ୍ଡଯାତ୍ରା ସାଧାରଣତଃ ଚୈତ୍ର ମାସ ତଥା ମେରୁ ସଂକ୍ରାନ୍ତିର ଠିକ୍ ୨୧ ଦିନ ନଚେତ ୧୩ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ଯାତ୍ରା ଅବଧି ମଧ୍ୟରେ ଦୁଇ ପ୍ରକାର ମାନସିକ କରାଯାଇଥାଏ। ଗୋଟିଏ ହେଲା ମାନସିକଧାରୀ ନିଜେ ଏହି ଯାତ୍ରାରେ ନିଜକୁ ଦଣ୍ଡୁଆ ଭାବେ ସାମିଲ୍ କରିଥାନ୍ତି। ବିଭିନ୍ନ ଜାତିର ଦଣ୍ଡୁଆଙ୍କୁ ‘ଋଷିପୁତ୍ର’ର ମାନ୍ୟତା ଦିଆଯାଏ। ଯାତ୍ରା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ସରଳ ଜୀବନଯାପନ କରନ୍ତି। ସାତ୍ତ୍ବିକ ଭୋଜନ ଗ୍ରହଣ ସହ ନିଷ୍ଠାପର ପୂଜାର୍ଚ୍ଚନା କରିଥାନ୍ତି। ତାଙ୍କ ପରିବାରବର୍ଗ ବି ନିଷ୍ଠାର ସହ ବ୍ରତ ପାଳିଥାନ୍ତି। ଦଣ୍ଡୁଆମାନଙ୍କ ମଧ୍ୟରେ ନେତୃତ୍ବ ନେଉଥିବା ଦଣ୍ଡୁଆଙ୍କୁ ‘ପାଟଦଣ୍ଡୁଆ’ କୁହାଯାଇଥାଏ। ଆଉ ଏକ ମାନସିକ ହେଲା, ମାନସିକଧାରୀ ନିଜ ଘର ସମ୍ମୁଖରେ ଦଣ୍ଡଯାତ୍ରା କରିବା ସହ ମାନସିକଧାରୀ ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିଥାନ୍ତି।

ଦଣ୍ଡଯାତ୍ରାର ପ୍ରଥମ ଦିନକୁ ‘ଏକବାର’ କୁହାଯାଏ। ଏହି ଦିନ ଦଣ୍ଡୁଆମାନଙ୍କୁ ମନ୍ତ୍ରଶୁଦ୍ଧି କରି ପଇତା ଦିଆଯାଏ। କାଠକୁ କାଠରେ ଘଷି ସେଥିରୁ ନିଆଁ ଉତ୍ପନ୍ନ କରି ପାଳରେ ନିର୍ମିତ୍ତ ଚମ୍ପାବରରେ ସଂଯୋଗ କରାଯାଏ। ଏହି ଚମ୍ପାବର ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗି ରହିଥାଏ। ଦ୍ବିତୀୟ ଦିନରୁ ପାଟ ଦଣ୍ଡୁଆଙ୍କ ନେତୃତ୍ବରେ ସମସ୍ତ ଦଣ୍ଡୁଆ ବିଭିନ୍ନ ଗ୍ରାମକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି। ପରଭା ରୂପରେ ମା’କାଳୀ ଓ ଚମ୍ପାବରରେ ଅଗ୍ନି ରୂପରେ ଶିବଙ୍କୁ ଧାରଣ କରାଯାଇଥାଏ। ଜଣେ ବୀଣାକାର, ଚଢ଼େୟାଚଢ଼େୟାଣୀଙ୍କ ସମେତ ଢୋଲ, ଝାଞ୍ଜ ଓ ତୁରୀ ସହିତ ଦଣ୍ଡୁଆମାପନେ ବାନା ଏବଂ ପିଞ୍ଛ ଧରି ଗାଁକୁ ଗାଁ ବୁଲି ମାନସିକଧାରୀଙ୍କ ଘର ସମ୍ମୁଖରେ ପହଞ୍ଚି ଦଣ୍ଡନୃତ୍ୟ ପ୍ରଦର୍ଶନ କରିଥାନ୍ତି। ପ୍ରଥମ ପର୍ଯ୍ୟାୟରେ ସଂକଳ୍ପ ପୂଜା, ଦେବୀଙ୍କ ବନ୍ଦନା ହୋଇଥାଏ। ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ଧୂଳିଦଣ୍ଡ ପ୍ରଦର୍ଶିତ ହୁଏ। ସାମାଜିକ ଚାଲିଚଳନ ଓ ବିଧି ବ୍ୟବସ୍ଥାକୁ ନେଇ ଅନେକ ଶିକ୍ଷଣୀୟ ଉପଦେଶ ସହ ଅତୀତରେ ପ୍ରଚଳିତ ଲୋକଗୀତ ଓ ଢଗଢ଼ମାଳି ଏଥିରେ ପରିବେଷିତ ହୁଏ। ଧୂଳିଦଣ୍ଡ ପରେ ପୁଷ୍କରିଣୀରେ ପାଣିଦଣ୍ଡ ପ୍ରଦର୍ଶିତ ହୁଏ। ସମସ୍ତ ଭୋକ୍ତା ଗାଧୋଇବା ସହ ବିଭିନ୍ନ ଫଳ ଓ ନବାତରେ ପ୍ରସ୍ତୁତ ପଣାକୁ ଗ୍ରହଣ କରିଥାନ୍ତି। ସେଠାରେ ଚମ୍ପାବରରୁ ଚାରୋଟି ମାଟି ମୁଠିରେ ପାଳ ରଖି ଅଗ୍ନି ସଂଯୋଗ କରି ଅଗ୍ନିଦଣ୍ଡ କରିଥାନ୍ତି।

ଢୋଲର ତାଳେ ତାଳେ ଗାଁ ପରିକ୍ରମା କରିଥାନ୍ତି। ସନ୍ଧ୍ୟାରେ ଆଳତି ପରେ ନିର୍ଜନ ସ୍ଥାନରେ ଦଣ୍ଡୁଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଏହା ସଂପୂର୍ଣ୍ଣ ସାତ୍ତ୍ବିକ ହୋଇଥାଏ। ଖାଦ୍ୟ ଗ୍ରହଣ ସମୟରେ ବାହାର ଶଦ୍ଦ ନ ଶୁଭିବା ପାଇଁ ଅନବରତ ଢୋଲ ବଜାଯାଇଥାଏ। ଏହାପରେ ମାନସିକଧାରୀଙ୍କ ଘର ସମ୍ମୁଖରେ କାଳିଶି ନାଚ ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଦୀର୍ଘ ୧୩ ଦିନର ଯାତ୍ରା ପରେ ମେରୁଯାତ୍ରା ଅନୁଷ୍ଠିତ ହୁଏ। ଏହିଦିନ ଦଣ୍ଡଯାତ୍ରାର ସମସ୍ତ ରୀତିନୀତି ସହିତ ପାଟଦଣ୍ଡୁଆଙ୍କୁ ୨୧ ଗରା ପାଣିରେ ଗାଧୋଇବା ସହ ଏକ ଦୋଳିରେ ଓଲଟାଇ ରଖି ତଳ ପଟୁ ଅଗ୍ନି ଝାସ ଦିଆଯାଏ। ପାଟଦଣ୍ଡୁଆଙ୍କ ନାକରୁ ଦୁଇ ଟୋପା ରକ୍ତ ଦଣ୍ଡର ଅଗ୍ନିଶିଖାରେ ପଡ଼ିବା ପରେ ଅଗ୍ନିଦେବ ଶାନ୍ତ ହୁଅନ୍ତି ବୋଲି ବିଶ୍ବାସ ରହିଛି। ଆଉ ଦଣ୍ଡଯାତ୍ରା ସମାପନ ହୋଇଥାଏ। ଦଣ୍ଡଯାତ୍ରରେ ଧର୍ମୀୟ ଭାବନା ସହ ସଙ୍ଗୀତ, ନୃତ୍ୟ, ସାଧନା ଓ ଆରାଧନାର ଅପୂର୍ବ ସମନ୍ବୟ ଘଟିଥାଏ।

Leave A Reply

Your email address will not be published.