ଭୁବନେଶ୍ବର: ଘର ଭଡ଼ାକୁ କେନ୍ଦ୍ରକରି ମହିଳାଙ୍କୁ ଶାବଳରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଘର ମାଲିକଙ୍କୁ ଗିରଫ କରିଛି। ତାଙ୍କ ନାମ ଜଗନ୍ନାଥ ମହାପାତ୍ର(୪୦)। ଘର ଖଣ୍ଡୁଆଳ ବସ୍ତିରେ। ଜଗନ୍ନାଥଙ୍କ ଘରେ ପପୁନା ନାୟକ ଓ ତାଙ୍କ ପତ୍ନୀ ପ୍ରମିଳା ନାୟକ ଭଡ଼ାରେ ରହୁଥିଲେ।
ରବିବାର ଘର ଭଡ଼ାକୁ କେନ୍ଦ୍ରକରି ପପୁନା ଓ ପ୍ରମିଳାଙ୍କ ସହ ଜଗନ୍ନାଥଙ୍କର ପାଟିତୁଣ୍ଡ ହୋଇଥିଲା। ଉତ୍କ୍ଷୀପ୍ତ ହୋଇ ଜଗନ୍ନାଥ ପପୁନାଙ୍କ ଘର ଭିତରେ ପଶି ଆସବାବପତ୍ର ଫୋପଡ଼ାଫିଙ୍ଗା କରିଥିଲେ। ପପୁନା ଓ ପ୍ରମିଳା ପ୍ରତିବାଦ କରିବାରୁ ଜଗନ୍ନାଥ ଏକ ଶାବଳ ଆଣି ପ୍ରମିଳାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଶାବଳ ଭୁସି ଦେଇଥିଲେ। ପଡ଼ୋଶୀମାନେ ପ୍ରମିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଆଜି ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।