ପାଟନା : ଗୋଟିଏ ଫାଶରେ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ । ମୃତକ ବ୍ରଜକିଶୋର ପାସଓ୍ୱାନ୍ ଓ କାଜନ କୁମାରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ବିହାର ପୂର୍ବ ଚମ୍ପାରନର ଖଗନୀ ଗାଁରେ ଘଟିଛି ଘଟଣା । ୬ମାସ ତଳେ ଉଭୟ କରିଥିଲେ ପ୍ରେମ ବିବାହ । ସ୍ୱୀମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଖବର ପାଇଁ ପୁରା ଅଞ୍ଚଳରେ ଆଲୋଡ଼ାନା ସୃଷ୍ଟି ହୋଇଯାଇଛି ।
ଖବର ଅନୁଯାୟୀ, ବୁଧବାର ଦିନ ଦ୍ୱିପହର ସମୟରେ ଜଣେ ମହିଳା ବ୍ରଜକିଶୋରଙ୍କ ଘରକୁ କିଛି ମାଗିବା ପାଇଁ ଯାଇଥିଲେ । ସେ ଘରେ ପହଞ୍ଚି ୨ ଜଣଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଗୋଟିଏ ଓଢଣୀରେ ୨ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ମହିଳା ଜଣଙ୍କ ଖୁବ୍ ଜୋରରେ ପାଟି କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡାକିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଘୋଷଣା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ଘଟଣାସଂପର୍କରେ ପୋଲିସ ଖବର ପାଇ ପହଞ୍ଚିଥିଲା, ଏବଂ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହାପଛରେ ପାରିବାରିକ ବିବାଦ ଥାଇପାରେ ବୋଲି ପୋଲିସ ସନ୍ଦେହ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ, ଗୋଟିଏ ଘରେ ସ୍ୱାମୀ-ସ୍ତ୍ରୀ ଏକା ରହୁଥିଲେ । ଗତ ୬ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ । ବିବାହ ପାଇଁ ଉଭୟଙ୍କ ପରିବାର ମଧ୍ୟ ସହମତି ହୋଇଥିଲେ । ସେମାନଙ୍କ ସଂପର୍କୀୟ ବାହାର ରାଜ୍ୟରେ ରହି କାମ କରନ୍ତି । ଶବ ମିଳିବା ପରେ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି । ସ୍ୱୀମା-ସ୍ତ୍ରୀଙ୍କ ମୋବାଇଲ୍ ମଧ୍ୟ ଘରୁ ଗାଏବ ହୋଇଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା । ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଘଟଣା ଉପରୁ ରହସ୍ୟ ହଟିପାରିବ ।