ଘରୋଇ ସଂସ୍ଥା ହାତକୁ ଯିବ ୪ ବିମାନବନ୍ଦର

0

ନୂଆଦିଲ୍ଲୀ: ଘରୋଇକରଣକୁ ମାତ୍ରାଧିକ ଗୁରୁତ୍ବ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୩ଟି ବିମାନବନ୍ଦରର ଘରୋଇକଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏଥି ସହିତ ଚାରିଟି ବିମାନବନ୍ଦରକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନବନ୍ଦରରୁ ସରକାର ସମ୍ପୂର୍ଣ୍ଣ ଓହରିଯିବେ। ସେଥିରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ର କୌଣସି ହସ୍ତକ୍ଷେପ ରହିବ ନାହିଁ। ଘରୋଇ ସଂସ୍ଥା ଦ୍ବାରା ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପରିଚାଳିତ ହେବ। ପୁଞ୍ଜିପ୍ରତ୍ୟାହାର ଜରିଆରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ରାଜସ୍ବ ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଥିବା ମୋଦୀ ସରକାରଙ୍କ ଘରୋଇକରଣ ଯୋଜନାର ଏହା ହେଉଛି ଏକ ବଡ଼ ଅଂଶ।

ବିମାନବନ୍ଦର ଘରୋଇକରଣର ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ଗୁଜରାଟର ବ୍ୟବସାୟୀ ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍‌ ଲକ୍ଷ୍ନୌ, ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୁରୁ, ଥିରୁବନନ୍ତପୁରମ ଓ ଗୌହ୍ବାଟି ବିମାନବନ୍ଦରକୁ ହା‌ସଲ କରିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନବନ୍ଦରର ଆଂଶିକ ଘରୋଇକରଣ ହୋଇଛି। ଏବେ ତାହା ଯୌଥ ଉଦ୍ୟୋଗ ଜରିଆରେ ପରିଚାଳିତ ହେଉଛି। ମୁମ୍ବାଇ ବିମାନବନ୍ଦରର ୭୪% ଅଂଶଧନ ଆଦାନି କିଣିଥିବା ବେଳେ ବଳକା ୨୬% ଏଏଆଇ ପାଖରେ ରହିଛି। ଦିଲ୍ଲୀ ବିମାନବନ୍ଦରରେ ଜିଏମ୍‌ଆର୍‌ ଗ୍ରୁପ୍‌ର ୫୪% ଅଂଶଧନ ଓ ଫ୍ରାପୋର୍ଟ ଏଜି ଓ ଏରାମାନ ମାଲେସିଆ ପାଖରେ ୧୦% ଅଂଶଧନ ରହିଛି। ହାଇଦ୍ରାବାଦ ଓ ବାଙ୍ଗାଲୋର ବିମାନ ବନ୍ଦରରେ ରାଜ୍ୟ ସରକାରମାନଙ୍କର ୨୬% ଅଂଶଧନ ଥିବା ବେଳେ ବଳକା ଅଂଶଧନ ଏଏଆଇ ପାଖରେ ରହିଛି।

ସରକାର ଏହି ଚାରି ବିମାନବନ୍ଦରରେ ଏଏଆଇର ଥିବା ସବୁ ଅଂଶଧନ ବିକି ସମ୍ପୂର୍ଣ୍ଣ ଓହରିଯିବେ। ସେଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ମଞ୍ଜୁରି ହାସଲ କରାଯିବ। କିଛି ଦିନ ଭିତରେ ଏହି ପ୍ରସ୍ତାବକୁ ମଞ୍ଜୁରି ପାଇଁ କ୍ୟାବିନେଟ୍ କମିଟି ବୈଠକରେ ଉପସ୍ଥାପନ କରାଯିବ। ଏବର୍ଷ ‌ଯେଉଁ ୧୩ଟି ବିମାନବନ୍ଦରର ଘରୋଇକରଣ ହେବ ସେଥିରେ ଉଭୟ ଲାଭଦାୟକ ଏବଂ ଅଣ-ଲାଭଦାୟକ ବିମାନବନ୍ଦର ରହିବ। ଏହା ନିବେଶକମାନଙ୍କ ପାଇଁ ଏକ ଆକର୍ଷଣୀୟ ପ୍ୟାକେଜ୍ ହୋଇପାରିବ ବୋଲି ସରକାର ଭାବୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ହେଉଛି ଏଏଆଇ। ଏହାର ମାଲିକାନାରେ ଦେଶର ୧୦୦ରୁ ଅଧିକ ବିମାନବନ୍ଦର ରହିଛି। ସରକାରୀ ସଂସ୍ଥାରେ ଥିବା ଅଂଶଧନ ‌ଓ ସେମାନଙ୍କ ପାଖରେ ଥିବା ସମ୍ପତ୍ତି ବିକ୍ରି କରି ସରକାର ମୋଟା ଅଙ୍କର ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛନ୍ତି। ନିତି ଆୟୋଗ ପକ୍ଷରୁ ସରକାରୀ ସଂସ୍ଥା ପାଖରେ ଥିବା ୧୦୦ଟି ସମ୍ପତ୍ତି ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ବିକ୍ରି କିମ୍ବା ବ୍ୟବହାର କରି ସେଗୁଡ଼ିକୁ ଉପାର୍ଜନକ୍ଷମ କରିବାକୁ ସରକାର ଯୋଜନା ରଖିଛନ୍ତି।

Leave A Reply

Your email address will not be published.