ଗିରଫ ହେଲେ ବଳପୂର୍ବକ ଚାକିରୀରୁ ଅବସରପ୍ରାପ୍ତ IPS ଅଫିସର

0

ଲକ୍ଷ୍ନୌ : ସରକାର ଜୋର ଜବରଦସ୍ତ ଚାକିରୀରୁ ଅବସର କରାଇଥିବା ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରିଥିବା ଦୁଷ୍କର୍ମ ପୀଡ଼ିତା ଓ ମାମଲାର ସାକ୍ଷୀଙ୍କ ମୃତ୍ୟୁରେ ଏସଆଇଟିଙ୍କ ରିପୋର୍ଟ ଆଧାରରେ ପୋଲିସ ଏହି ପଦକ୍ଷେପ ନେଇଥିବା ବେଳେ ଲକ୍ଷ୍ମୌସ୍ଥିତ ବାସଭବନରୁ ଗିରଫ କରି ହଜରତଗଞ୍ଜ ଥାନାକୁ ନେଇ ଯାଇଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଆତ୍ମଦାହ ଲାଗି ଉସକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ବହୁଜନ ସମାଜପାର୍ଟି (ବସପା) ସାସଂଦ ଅତୁଲ ରାୟଙ୍କ ଦ୍ୱାରା ଦୁଷ୍କର୍ମରେ ଶିକାର ମହିଳା ଓ ତାଙ୍କ ସାଥୀ ଗତ ଅଗଷ୍ଟ ୧୬ ତାରିଖ ଦିନ ନ୍ୟାୟ ଲାଗି ସୁପ୍ରିମକୋର୍ଟ ସମ୍ମୁଖରେ ବିକ୍ଷୋଭ କରୁଥିଲେ। ପ୍ରଦର୍ଶନ କାଳରେ ସେମାନେ ଫେସବୁକ୍ ଲାଇଭ କରି ଆତ୍ମଦାହ ଉଦ୍ୟମ କରିଥିଲେ। ଏଥିରେ ମହିଳାଙ୍କ ଶରୀରର ୮୫ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କ ସାଥୀ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ। ଉଭୟ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ହୋଇଛି।

ଫେସବୁକ୍ ଲାଇଭରେ ସେମାନେ ଦୁର୍ଦ୍ଦଶା ଲାଗି ତତ୍କାଳୀନ ବାରଣାସୀ ଏସଏସପି ଅମିତାଭ ଠାକୁର, ତତ୍କାଳୀନ ସିଓ ଭି.ଅମରେଶ ସିଂ ବଘେଲ ଓ କନଷ୍ଟେବଲ ସଞ୍ଜୟ ରାୟଙ୍କ ସମେତ ଅନ୍ୟମାନଙ୍କୁ ଦାୟି କରିଥିଲେ। ଏମାନେ ଅଭିଯୋଗରୁ ସାଂସଦଙ୍କୁ ସୁରକ୍ଷା ଦେବା ଲାଗି ଲାଗି ଯାବତୀୟ ସମସ୍ୟା ସୃଷ୍ଟି କରିଥିବାର ମହିଳା ଅଭିଯୋଗ କରିଥିଲେ। ମାମଲାରେ ଲକ୍ଷ୍ନୌ ପୋଲିସ ଅମିତାଭ ଠାକୁରଙ୍କୁ ଗିରଫ କରିଛି। ପୀଡିତାଙ୍କୁ ଆତ୍ମଦାହ ଲାଗି ଉସକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠା ଏଥିଲାଗି ପୋଲିସ ଡିଜି ଆର.କେ.ବିଶ୍ୱକର୍ମା ଓ ଏଡିଜି ମୀରା ରାବତଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଙ୍କ ଯାଞ୍ଚ ରିପୋର୍ଟ ଆଧାରରେ କରାଯାଇଛି। ମାମଲାରେ ଏସଆଇଟି ତତ୍କାଳୀନ ବନାରସ ଏସଏସପି ଅମିତାଭ ଠାକୁରଙ୍କୁ ପଚରା ଉଚରା କରିଥିଲେ। ଏଥିରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି।

୧୯୯୨ ବ୍ୟାଚ୍‌ର ୟୁପି କ୍ୟାଡର ଆଇପିଏସ ଅଫିସର ଅମିତାଭ ଠାକୁର ବିହାର ରାଜ୍ୟର ମୂଳ ବାସିନ୍ଦା। ତେବେ ତାଙ୍କ ଚାକିରୀର ରେକର୍ଡ ଆଧାରରେ ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ତାଙ୍କୁ ସେବା ନିବୃତ୍ତ କରାଇ ଦେଇଛନ୍ତି। ସେ ଆଗକୁ ରାଜନୀତି କରିବେ ବୋଲି ଘୋଷଣା କରିଥିବା ବେଳେ ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ନିକଟରେ ଟ୍ୱିଟ୍‌ ହ୍ୟାଣ୍ଡଲରେ ଘୋଷଣା କରିଥିଲେ।

Leave A Reply

Your email address will not be published.