ହାଇକୋର୍ଟରେ ଦାୟର ହେଲା ମାମଲା

0

କଟକ : ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟରେ ଦାୟର ହେଲା ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଘଟଣାର ସିବିଆଇ ତଦନ୍ତ କରିବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୋର୍ଟଙ୍କୁ ନିବେଦନ କରାଯାଇଛି । ନଚେତ୍ ହାଇକୋର୍ଟର ଜଣେ ସିଟିଂ ଜଜ୍ ଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରାଯାଇ ମାମଲାର ତଦନ୍ତ ହେଉ ବୋଲି ଦାବି କରି ମଙ୍ଗଳବାର ହାଇକୋର୍ଟରେ  ରିଟ୍ ପିଟିସନ ଦାଏର କରିଛି ଭାରତୀୟ ବିକାଶ ପରିଷଦ । ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ସହିତ ଅନେକ ପ୍ରଭାବଶାଳୀ ଲୋକଙ୍କ ନାଁ ଯୋଡିହୋଇଛି । ତେଣୁ ସିବିଆଇ କିମ୍ବା ଏସଆଇଟି ଦ୍ଵାରା ତଦନ୍ତ ହେଲେ ସମ୍ପୂର୍ଣ୍ଣ ଶତ ସାମ୍ନାକୁ ଆସିବ ବୋଲି ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି ।

ଦାଏର ପିଟିସନରେ ଆବେଦନକାରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟାକାଣ୍ଡ । ଏଥିରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ଏବଂ ଆଉ କିଛି ବ୍ୟକ୍ତି ସଂପୃକ୍ତ ଅଛନ୍ତି । ପୋଲିସର ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ ବୋଲି କୋର୍ଟଙ୍କୁ ଦର୍ଶାଇଛନ୍ତି ଆବେଦନକାରୀ ।  ଦାଏର ମାମଲାରେ ମୁଖ୍ୟ ସଚିବ, ଗୃହ ବିଭାଗର ଅତିରିକ୍ତ ସଚିବ, ପୋଲିସ ଡିଜି, ପାରଳାଖେମୁଣ୍ଡି ଏସପିଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏସିଏଫଓ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ଶରୀରରୁ କିରୋସିନି ଗନ୍ଧ ଆସୁଥିଲା। ତେବେ ମୃତ୍ୟୁ ବେଳକୁ ତାଙ୍କ ପେଟ ଖାଲି ଥିଲା ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏଭଳି ଏକ ସ୍ପର୍ଶକାତର ବିଷୟରେ ତୁରନ୍ତ ସତ ସାମ୍ନାକୁ ନଆସିଲେ ସୌମ୍ୟଙ୍କ ପରିବାରଲୋକ ଧାରଣା ଦେବେ ଏବଂ ହାଇକୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଥିଲେ ସୌମ୍ୟଙ୍କ ଭାଇ ।

ସେପଟେ ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ନାଁ ଏଣ୍ଟ୍ରି ମାରିବା ଘଟଣାକୁ ଅଧିକ ରହସ୍ୟମୟ କରିବାରେ ଲାଗିଛି । ରବିବାର ବଲାଙ୍ଗୀର ପ୍ରାଣୀଧନ ଟ୍ରେନିଂ ସେଣ୍ଟରରେ ବିଦ୍ୟା ରହୁଥିବା ୧ ନଂ ରୁମକୁ ପୋଲିସ ସିଲ୍ କରିଥିଲା । ତେବେ ଏଠାରେ ତଦନ୍ତ କରିବା ସମୟରେ ଅନ୍ୟ ଜଣେ ଯୁବକଙ୍କ ସହିତ ବିଦ୍ୟାଭାରତୀଙ୍କ କଥାବାର୍ତ୍ତା ବାବଦରେ ପୋଲିସ ପାଖରେ ସୁରାକ ମିଳିଛି । ବିଦ୍ୟାଙ୍କ ରୁମ୍ ଭିତରୁ ମିଳିଥିବା ଚିଠିରେ ସଂପୃକ୍ତ ଯୁବକଙ୍କ ନାମ ରହିଛି । ନ୍ୟୁଜ୍ ସେଭେନ୍ ସଂପୃକ୍ତ ଯୁବକଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା ।  ଆଉ ସେ କହିଥିଲେ ତାଙ୍କର ବିଦ୍ୟାଭାରତୀଙ୍କ ସହ ବାହାଘର ପ୍ରସ୍ତାବ ପଡିଥିଲା କିନ୍ତୁ ପରେ ବିଦ୍ୟାଭାରତୀଙ୍କର ଅନ୍ୟତ୍ର ବାହାଘର ହୋଇଗଲା ପରେ ସମ୍ପର୍କ ତୁଟିଯାଇଥିଲା।

ଘଟଣା ଯେତେ ଘନଉଛି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ହେଉଛି । ସେପଟେ କିନ୍ତୁ ପୋଲିସ ପୋଷ୍ଟମର୍ଟମ ପରେ ଆଭାସ ବି ଦେଉନି ଏହା ହତ୍ୟା ନା’ ଆତ୍ମହତ୍ୟା ।

Leave A Reply

Your email address will not be published.