ହିନ୍ଦୁ ପରମ୍ପରା ଅନୁସାରେ ଝିଅକୁ ବିବାହ ଦଲେ ମୁସଲ୍ମାନ ବ୍ୟକ୍ତି
ବେଙ୍ଗାଲୁରୁ, : ଭାରତୀୟ ସମ୍ୱିଧାନ ଅନୁସାରେ ଜାତି, ବର୍ଣ୍ଣ ଏବଂ ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ସମାନ । ଏହାକୁ ପ୍ରମାଣିତ କରିଛନ୍ତି ଜଣେ ମୁସଲ୍ମାନ ବ୍ୟକ୍ତି । କର୍ଣ୍ଣାଟକ ବିଜୟାପୁରା ଅଞ୍ଚଳର ଜଣେ ମୁସଲ୍ମାନ ବ୍ୟକ୍ତି ପାଳିତ ହିନ୍ଦୁ ଝିଅକୁ ରୀତିନୀତି ଅନୁସାରେ ଜଣେ ହିନ୍ଦୁ ଯୁବକକୁ ବିବାହ କରାଇଥିବା ଦେଖିବାକୁ ମିଳିଛି ।
ଏହି ବ୍ୟକ୍ତିଙ୍କ ନାମ ମେହବୁବ ମସଲି ବୋଲି ଜଣାପଡ଼ିଛି । ମସଲି ଗତ ଶୁକ୍ରବାର ପୂଜା ଭଦିଗେରି ନାମକ ୧୮ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ଜଣେ ହିନ୍ଦୁ ପରିବରାରେ ବିବାହ ଦେଇଛନ୍ତି । କିନ୍ତୁ ଏହି ବିବାହ ଏଥିପାଇଁ ଚର୍ଚ୍ଚା ପରିସରକୁ ଆସିଥିଲା ଯେତେବେଳେ ପିତା ମୁସଲ୍ମାନ ସଂପ୍ରଦାୟର ହୋଇଥିବା ବେଳେ ସେ ବର ହିନ୍ଦୁ ପୋଷାକ ପିନ୍ଧି ବିବାହ କରିଥିଲେ ।
ପୂଜା ଦଶ ବର୍ଷ ତଳେ ପିତା-ମାତାଙ୍କୁ ହରାଇ ଅନାଥ ହୋଇଯାଇଥିଲା । ଏହାପରେ ତାର ସମ୍ପର୍କୀୟମାନେ ତାହାର ଯତ୍ନ ନେବାକୁ ମନା କରିଦେଇଥିଲେ । ଛୋଟ ଥିବା ପୂଜାଙ୍କୁ ମସଲି ଝିଅ ଭଳି ନେଇ ପାଖରେ ରଖିଥିଲେ । ମସଲିଙ୍କର ଦୁଇଟି ଝିଅ ଏବଂ ଦୁଇଟି ପୁଅ ମଧ୍ୟ ଅଛନ୍ତି । ତଥାପି ସେ ପୂଜାକୁ ଘରକୁ ଝିଅ କରି ଆଣିଥିଲେ ।
ତେବେ ଏହି ବିବାହକୁ ନେଇ ମସଲି କହଛନ୍ତି ଯେ, ଏହା ମୋର ଦାୟିତ୍ୱ । ଝିଅଟି ଯେଉଁ ଧର୍ମର ତାକୁ ସେହି ଧର୍ମରେ ବିବାହ କରାଇବା ମୋର ସୌଭାଗ୍ୟ । ସେ ଆମ ଘରେ ରହୁଥିଲା, ହେଲେ ତାକୁ ମୁସ୍ଲିମ୍ ଧର୍ମକୁ ମାନିବାକୁ ବାଧ୍ୟ କରାଯାଇନଥିଲା କି ମୁସଲ୍ମାନ ଯୁବକଙ୍କୁ ବିବାହ କରିବାକୁ କୁହାଯାଇନଥିଲା । ଏହା ଆମ ଧର୍ମ ବିରୁଦ୍ଧ ବୋଲି ସେ କହିଛନ୍ତି । ଏହି ବିବାହକୁ ନେଇ ପୂଜା ବେଶ୍ ଖୁସି ଥିବା ପ୍ରକାଶ କରିଥିବା ବେଳେ ବର ପକ୍ଷ କୌଣସି ଯୌତୁକ ଦାବି କରିନଥିବା ଜଣାପଡ଼ିଛି ।