ବିହାର : ହୋଲି ଅବସରରେ ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୟା ଜିଲ୍ଲାର ବୋଧଗୟା ଗାଁରେ ଅଗ୍ନିକାଣ୍ଡରେ ତିନି ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି।
କୁହାଯାଉଛି ଯେ, ରବିବାର ରାତିରେ ହୋଲିକା ଦହନ ପରେ ଏକ ବୁଦା ଭିତରେ ନିଆଁ ଲାଗି ଯାଇଥିଲା। ସେହି ନିଆଁରେ ପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶିଶୁ ଗୁରୁତର ଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରରେ ଶୋକ ଛାୟା ଖେଳିଯାଇଛି।
ସ୍ଥାନୀୟ ପୋଲିସର ସୂଚନାନୁସାରେ, ମୃତ ଶିଶୁମାନେ କାଲେଶ୍ୱର ମଞ୍ଜୀଙ୍କ ୧୨ବର୍ଷର ପୁଅ ରୋହିତ କୁମାର, ବାବୁଲାଲ ମଞ୍ଜୀଙ୍କ ୧୩ ବର୍ଷର ପୁଅ ନନ୍ଦଲାଲ ମଞ୍ଜୀ ଏବଂ ପିଣ୍ଟୁ ମଞ୍ଜୀଙ୍କ ୧୨ ବର୍ଷର ପୁଅ ଉପେନ୍ଦ୍ର କୁମାର ବୋଲି ପୋଲିସ ଚିହ୍ନଟ ହୋଇଛି। ଏମାନଙ୍କ ବ୍ୟତୀତ ମୋରାଲ ପଞ୍ଚାୟତର ଡେପୁଟି ହେଡ୍ ଗୀତା ଦେବୀଙ୍କ ୧୨ ବର୍ଷର ପୁଅ ରିତେଶ କୁମାର ଆହତ ଡାକ୍ତରଖାନାରେ ଅଛନ୍ତି।