ନୂଆଦିଲ୍ଲୀ : ହୋଲିରେ ସୁନା ହେଲା ଶସ୍ତା। ରବିବାର ସୁନା ଦାମ୍ କମିଥିବା ଜଣାପଡ଼ିଛି। ୧୦୦ ଗ୍ରାମ ସୁନା ଉପରେ ୭୬୦୦ ଟଙ୍କା କମିଛି। ଗୁଡ ରିଟର୍ଣ୍ଣସ୍ ଓ୍ବେବସାଇଟ୍ ଅନୁସାରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦାମ ୪୩,୯୨୦ ଟଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀ ସରଫା ବଜାରରେ ଲଗାତାର ସୁନା ଦାମ କମୁଥିବା ଦେଖିବାକୁ ମିଳିଛି।
ରବିବାର ସୁନା ଦାମ ଗତ ୧୧ ମାସ ତୁଳନାରେ ସବୁଠୁ ତଳକୁ ଖସିଛି। ୨୩ ମାର୍ଚ୍ଚରେ ୧୦୦ ଗ୍ରାମ ସୁନା ଦାମ ୧୨୦୦ ଟଙ୍କା ଶସ୍ତା ହୋଇଥିଲା। ଏହା ପରେ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ମଧ୍ୟ ସୁନା ଦାମ କମିଥିଲା। ରବିବାର ଦିଲ୍ଲୀ ସରଫା ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ ୪୪,୦୬୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ଚେନ୍ନାଇରେ ୧୦ ଗ୍ରମ ସୁନାର ଦାମ ୪୨,୩୩୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୪୨,୯୯୦ ଟଙ୍କା ରହିଛି।
କୋଲକାତା ସରଫା ବଜାରରେ ସୁନା ଦର ୪୪,୧୯୦ ଟଙ୍କା, ପାଟନାରେ ୪୨,୯୯୦, ଅହମଦାବାଦରେ ୪୪, ୪୫୦ ଟଙ୍କା ଏବଂ ପୁଣେରେ ୪୨, ୯୧୦ ଟଙ୍କା ରହିଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଗୋଲ୍ଡ ରେଟ୍ କମିଥିଲା। ଆମେରିକାରେ ସୁନା ଦାମ ୧,୭୩୨.୬୩ ଡଲାର ପ୍ରତି ଆଉନ୍ସ ଥିଲା। ସେହିଭଳି ରୂପା ପ୍ରତି ଆଉନ୍ସ ୨୫.୦୬ ଡଲାର ଥିଲା।