ଜଗତସିଂହପୁର, : ମେଡ଼ିକାଲ ଭିତରୁ ଶିଶୁ ଚୋରି । ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଅଭ୍ୟର୍ଥନା ଗୃହରୁ ଶିଶୁକୁ ନେଇଗଲେ ଦୁର୍ବୃତ୍ତ । ନିଜର ଆଈ ସହିତ ଆଶ୍ରୟ ନେଇଥିବା ଜଣେ ଅଢେଇ ବର୍ଷର ଶିଶୁ ପୁତ୍ରକୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବାର ଅଭିଯୋଗ ହୋଇଛି । ଏହି ବାବଦରେ ଅପହୃତ ଶିଶୁର ଆଈ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ଏରସମା ଥାନା ରଇତସାହିର ଗାଁର ବୃଧା ଚନ୍ଦ୍ରମା ସ୍ବାଇଁ ତାଙ୍କର ୩ବର୍ଷର ନାତି ରାହୁଲ ସ୍ବାଇଁର ଦେହ ଖରାପ ହେବାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଗତ ୨ମାସ ତଳେ ଚିକିତ୍ସା ପାଇଁ ଆଣିଥିଲେ ।ଚନ୍ଦ୍ରମାଙ୍କ ଜ୍ୱାଇଁଙ୍କର ଦେହାନ୍ତ ହେବା ପରେ ଝିଅ ତାର ଶିଶୁ ପୁତ୍ରକୁ ଆଇ ପାଖରେ ଛାଡି ଦେଇ ଅନ୍ୟ ଜଣେ ଯୁବକ ସହିତ ବିବାହ କରି ଚାଲି ଯାଇଛି ।ଫଳରେ ଚନ୍ଦ୍ରମା ନାତିର ରକ୍ଷଣା ବେକ୍ଷଣ କରି ଆସୁଛନ୍ତି । ନିଜେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେଉଥିବାରୁ ନାତି ଦେହ ଭଲ ହୋଇଥିଲେ ମଧ୍ୟ ମେଡିକାଲ ପରିସରରେ ଦୁଇ ମୁଠା ଖାଇ ମେଡିକାଲ ଅଭ୍ୟର୍ଥନା ଗୃହରେ ରହିଆସୁଥିଲେ ।ଗୁରୁବାର ଚନ୍ଦ୍ରମା ଶିଶୁଟିକୁ ସେଠାରେ ଏକା ଛାଡି କିଛି ସମୟ ବାହାରକୁ ଯାଇ ଫେରିବା ପରେ ଶିଶୁ ପୁତ୍ରକୁ ଆଉ ପାଇ ନଥିଲେ ।ଏହି ସୁଯୋଗରେ ଶିଶୁ ପୁତ୍ରକୁ କେହି ଜଣେ ଅପରିଚିତ ବ୍ୟକ୍ତି ସାଙ୍ଗରେ ନେଇ ଯାଉଥିବାର ସିସିଟିଭିରୁ ଜଣା ପଡିବା ପରେ ମହିଳା ଜଣଙ୍କ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ମେଡିକାଲରେ ସିସିଟିଭି ସହିତ ସିକ୍ୟୁରୀଟି ବ୍ୟବସ୍ଥା ଥାଇ କିଭଳି ପିଲା ଚୋରି ହେଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ପିଲା ଚୋରି ଘଟଣା ଜଣା ପଡିବା ପରେ ମେଡିକାଲ କର୍ତୃପକ୍ଷ ସଂପୃକ୍ତ ମହିଳାଙ୍କୁ ମେଡିକାଲ ପରିସରରୁ ବାହାର କରି ଦେଇଥିବା ବେଳେ ମହିଳା ଜଣକ ଜଗତସିଂହପୁର ଥାନା ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହିଥିଲେ ।ଏହି ଚୋରି ରାକେଟରେ ମେଡିକାଲ କର୍ମଚାରୀ ଓ ସିକ୍ୟୁରିଟି ସାମିଲ ଥିବା ଅଭିଯୋଗ କରିବା ସହିତ ନାତିକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ସମ୍ପୃକ୍ତ ବୃଦ୍ଧା ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ବାବଦରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅବଗତ ନଥିବା ବେଳେ ଏହି ଶିଶୁ ଚୋରି ଘଟଣାରେ ମେଡିକାଲ କତ୍ତୃପକ୍ଷଙ୍କୁ ଦାୟୀ କରିଛି ଜିଲ୍ଲା ଶିଶୁ ସୁରକ୍ଷା ସମିତି ।ଏହି ଘଟଣା ସମ୍ପର୍କରେ ଆଗରୁ ମେଡିକାଲ କର୍ତ୍ତୃପକ୍ଷ ଆମକୁ ଅବଗତ କରାଇଥିଲେ ସମିତି ପକ୍ଷରୁ ଶିଶୁଟିର ଉପଯୁକ୍ତ ବ୍ୟବସ୍ଥା ହୋଇପାରିଥାନ୍ତା । ମେଡ଼ିକାଲ କତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁ ଶିଶୁଟି ଅପହରଣ ହୋଇଛି ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ଚାଲିଛି ବୋଲି ଜଗତସିଂହପୁର ଥାନା ଅଧିକାରୀ କହିବା ସହ ଖୁବ ଶୀଘ୍ର ଶୁଶୁଟିକୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ।