ଲକ୍ଷ୍ନୌ – ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ମତ୍ସଜୀବୀ ମାଛ ଧରିବା ପାଇଁ ରାତି ସମୟରେ ନାଳରେ ଜାଲ ବିଛାଇ ଥିଲେ । ସକାଳ ସମୟରେ ଜାଲରେ କୌଣସି ମାଛ ପଡ଼ିନଥିଲା ବରଂ ସେଥିରେ ଫସି ଥିଲା ନିଜ ମାଆର ଶବ। ସେ ଉକ୍ତ ଘଟଣାର ହତ୍ୟା ଆଶଙ୍କା କରି ପୁଲିସ୍ରେ ଅଭିଯୋଗ କରି ତଦନ୍ତ ଦାବି ମଧ୍ୟ କରିଥିଲେ। ପୁଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।
ସୂଚନା ମୁତାବକ, ଲକ୍ଷ୍ନୌର ମଲିହାବାଦ ଥାନାର ରୁସେନା ଗାଁରେ ମତ୍ସଜୀବୀ ରାମବିଳାସ ନିଜର ମାତା ରାମକଲୀ , ୨ପୁଅ ରାମନାଥ , ଶ୍ୟାମୁ ଓ ୩ଜଣ ଝିଅ ସହ ରହୁଥିଲେ। ଗାଁ ବାହାରେ କ୍ଷେତରେ ରାମବିଳାସଙ୍କର ମାଆ ରାମକଳି ପନିପରିବା ତଦାରଖ କରିବାକୁ ରହୁଥିଲେ । ରାମବିଳାସ କ୍ଷେତ ପାଖରେ ଥିବା ନାଳରେ ମାଛ ଧରନ୍ତି।
କୁହାଯାଉଛି , ଘଟଣା ଦିନ ରାତିରେ ରାମବିଳାସ କ୍ଷେତକୁ ଯାଇ ମାଆଙ୍କୁ ଖାଇବା ଦେବା ପରେ ପ୍ରବାହିତ ନାଳରେ ମାଛ ଧରିବାକୁ ଜାଲ ଲଗେଇ ଥିଲେ । ଏହାପରେ ସେ ନିଜ ଘରକୁ ଚାଲି ଯାଇଥିଲେ । ରାମ ବିଳାସ ସକାଳେ ଯେବେ କ୍ଷେତରେ ପହଞ୍ଚିଲେ ,ସେଠାରେ ମାଆଙ୍କୁ ପାଇଲେ ନାହିଁ । ବହୁତ ସମୟ ଯାଏ ମାଆଙ୍କୁ ଅପେକ୍ଷା କରିବା ପରେ ଯେବେ ମାଆ ଆସିଲେ ନାହିଁ , ତ ସେହି ନାଳରେ ଲଗେଇ ଥିବା ଜାଲକୁ ବାହାର କରିବାକୁ ଗଲେ । ଯେବେ ସେ ଜାଲକୁ ପାଣିରୁ ଉପରକୁ ଟାଣିଲେ ତ ତା ବହୁତ ଓଜନିଆ ଲାଗିଲା ।
ଏହାପରେ ସେ ଯାହା ଦେଖିଲେ ବିଶ୍ୱାସ କରିପାରିଲେନି । ଜାଲରେ ମାଛ ବଦଳରେ ନିଜ ମାଆର ଶବକୁ ପାଇଲେ । ସେ ତୁରନ୍ତ ଏ ବିଷୟରେ ପୁଲିସ୍କୁ ଜଣାଇ ତଦନ୍ତ ହତ୍ୟା ଅଭିଯୋଗ କରିଥିଲେ ।
ଲକ୍ଷ୍ନୌ ଗ୍ରାମୀଣର ଏସ୍ପିଙ୍କ ମୁତାବିକ୍ ରାମବିଳାସଙ୍କର ପିତାଙ୍କର ମଧ୍ୟ ୧୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇ ଥିଲା । ତାଙ୍କ ନାଁ ଛେଦା ଥିଲା । ଏସ୍ପି କହିଛନ୍ତି ମହିଳା ଜଣକ ରାତିରେ ନାଳରେ ଖସି ପଡ଼ିବାରୁ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ମାମଲାର ତଦନ୍ତ ଜାରି ରହିଛି ।