ଜମି ଜବରଦଖଲକୁ ନେଇ ବିବାଦ

0

ଉଦଳା,: ପୋଖରୀ ଜମି ଜବରଦଖଲକୁ ନେଇ ଦୀର୍ଘ ଦିନରୁ ରହି ଆସିଥିବା ବିବାଦ ଶେଷରେ ଉଗ୍ରରୂପ ନେଇଛି । ଜବରଦଖଲକାରୀ ନିଜ ଜିଦରେ ଅଟଳ ଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି ଗୋଟିଏ ପରିବାର । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପଣସଗଡି ଗ୍ରାମରେ ।

ସୂଚନା ଅନୁସାରେ, ଉଦଳା ଥାନା ପଣସଗଡି ଗ୍ରାମର ଗଦାଧର ବିଶ୍ବାଳଙ୍କ ଘର ନିକଟରେ ଏକ ପୋଖରୀ ରହିଥିବା ବେଳେ ତାହା ଗ୍ରାମ ପୋଖରୀ ଅଟେ। ହେଲେ ଗଦାଧରଙ୍କ ପରିବାର ଲୋକେ ଉକ୍ତ ପୋଖରୀ ଜମିକୁ ଜବରଦଖଲ କରି ଦୀର୍ଘ ଦିନରୁ ରଖି ଆସିଥିଲେ । ଯାହାକୁ ନେଇ ଅନେକ ବାର ଗ୍ରାମବାସୀ ବିରୋଧ କରିଥିଲେ ସୁଦ୍ଧା ଜବରଦଖଲ ଜମି ଛାଡିବାକୁ ଗଦାଧରଙ୍କ ପରିବାର ନାରାଜ ହେଉଥିଲେ । ଯାହାଫଳରେ ସୋମବାର ରାତିରେ ଉକ୍ତ ଜବରଦଖଲ ଘଟଣାକୁ ନେଇ ତୁମୁଳକାଣ୍ଡ ହୋଇଯାଇଛି ।

ଗ୍ରାମବାସୀମାନେ ଗଦାଧରଙ୍କ ଘର ବାଡ ଭାଙ୍ଗିବା ସହିତ ପରିବାର ସଦସ୍ୟଙ୍କୁ ମରଣାକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଗଦାଧରଙ୍କ ପରିବାରର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛି । ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଗଦାଧରଙ୍କ ସମେତ ତାଙ୍କ ପୁଅ, ବୋହୂ, ଏବଂ ଶ୍ବଶୁରଙ୍କୁ ଠେଙ୍ଗା ବାଡିରେ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ । ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗଦାଧର ବିଶ୍ବାଳ ଏବଂ ତାଙ୍କ ଶ୍ବଶୁର ଶଶୀଧର ସାରାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି ।

Leave A Reply

Your email address will not be published.