ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଫାଶିରେ ଝୁଲାଇଦେଲା ମା’

0

ଲକ୍ଷ୍ନୌ  : ପ୍ରେମ ପାଇଁ ଆଜିର ଯୁବପିଢି କିଛି କରିବାକୁ ପ୍ରସ୍ତୁତ । ଏମିତିକି ପରିବାର ଲୋକଙ୍କୁ ଏଡାଇଯିବାକୁ ମଧ୍ୟ ପଛାଉନାହାନ୍ତି । ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ଇଟାଓ୍ବାରେ ଦେଖିବାକୁ ମିଳିଛି ଯାହାକି ଚକିତ କରିବା ଭଳି । ନିଜ ଝିଅକୁ ହତ୍ୟା କରି ଟାଙ୍ଗିଦେବା ଘଟଣାରେ ମା’କୁ ଗିରଫ କରିଛି ପୋଲିସ ।

ପୋଲିସ ଅଧୀକ୍ଷକ ଓମବୀର ସିଂହ କହିଛନ୍ତି ଯେ, ଇଟାଓ୍ବାର ବେଦପୁରା ଅମରାଇ ଗାଁରେ ଏଭଳି ଜଘନ୍ୟ କାଣ୍ଡର ସୂତ୍ରପାତ ହୋଇଛି । ଯୁବତୀଙ୍କ ପରିବାର ଲୋକ ପ୍ରଥମେ ଅଭିଯୋଗ କରିଥିଲେ ଝିଅର ପୁରୁଷ ବନ୍ଧୁ ଏବଂ ତାର ଦୁଇ ଜଣ ସାଙ୍ଗ ମିଶି ପ୍ରଥମେ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଝିଅର ବାପାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ପ୍ରେମିକ ଏବଂ ତାର ୨ ଜଣ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ପୋଲିସ ଅଧୀକ୍ଷକ କହିଛନ୍ତି, ଅଗଷ୍ଟ ୨୮ରେ ଝିଅର ମା କହିଥିଲେ ଯେ ତାଙ୍କ ବଡ଼ ଝିଅ ତାର ଭଉଣୀ ସହିତ ଔଷଧ ଆଣିବା ପାଇଁ ଯାଇଥିଲେ ଏବଂ ଘରକୁ ଫେରିବା ପରେ ସେ ଦେଖିଲେ ଯେ ଝିଅ ପ୍ରିୟଙ୍କା ବିବାହ କରିବା ପାଇଁ ଜିଦ୍‌ ଧରିଛି ଏବଂ ସେ ତାର ବଏଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଛି । ଏଥିରେ ଉତ୍ତ୍ୟକ୍ତ ହୋଇ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ଟାଙ୍ଗିଦେଇଥିଲେ ।

ମୃତ୍ୟୁ ପରେ ପରିବାର ଲୋକେ ଜାଣିଶୁଣି ତାଙ୍କର ପୁରୁଷ ବନ୍ଧୁ ରାଜକୁମାର ଏବଂ ତାଙ୍କ ସାଥୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ହତ୍ୟା ପଛରେ ପ୍ରକୃତରେ ପ୍ରିୟଙ୍କାଙ୍କ ପରୁଷ ବନ୍ଧୁ ନୁହେଁ ବରଂ ତାଙ୍କର ମା ନିର୍ମଳା ଦେବୀ ହିଁ ସଂପୃକ୍ତ ଅଛନ୍ତି । ପରେ ତାଙ୍କୁ ରେଲଓ୍ବେ ପୋଲ୍‌ ନିକଯରୁ ଗିରଫ କରିଛି ପୋଲିସ । ସେପଟେ ପ୍ରିୟଙ୍କାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିବା ପରେ ଛାଡିଛି ପୋଲିସ ।

ଗିରଫ ହେବା ପରେ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି ପ୍ରିୟଙ୍କାଙ୍କ ମା’ । ସେ କହିଛନ୍ତି ଗାଁର ଜଣେ ଯୁବକ ରାଜକୁମାରଙ୍କ ସହିତ ତାଙ୍କ ଝିଅ ପ୍ରିୟଙ୍କାଙ୍କର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ପରିବାର ଲୋକେ ଏଥିରେ ରାଜି ନଥିଲେ ଏବଂ ଉକ୍ତ ଯୁବକ ଠାରୁ ଦୂରେଇ ରହିବାକୁ କହୁଥିଲେ । କିନ୍ତୁ ପ୍ରିୟଙ୍କା ସମସ୍ତଙ୍କୁ ବେଖାତିର କରିବା ସହିତ ଲୁଚି ଲୁଚି ସିନ୍ଦୁର ପିନ୍ଧୁଥିଲେ । ଶେଷରେ ଉତ୍ତ୍ୟକ୍ତ ହୋଇ ପ୍ରିୟଙ୍କାଙ୍କ ମା ତାକୁ ମାଡ ମାରିବା ସହିତ ଗଳା ଚିପି ହତ୍ୟା କରିବା ପରେ ଟାଙ୍ଗିଦେଇଥିଲେ । ଦୋଷ ଲୁଚାଇବାକୁ ଯାଇ ଯୁବତୀଙ୍କ ପରୁଷ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପରିବାର ଲୋକେ । ପୋଲିସ ଅଭିଯୁକ୍ତ ମା’ କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.